କରୋନା ଅପଡେଟ୍: ଦେଶରେ ୧,୧୫୦ ନୂଆ ମାମଲା, ୮୩ ମୃତ | News Room Odisha

କରୋନା ଅପଡେଟ୍: ଦେଶରେ ୧,୧୫୦ ନୂଆ ମାମଲା, ୮୩ ମୃତ

ନୂଆଦିଲ୍ଲୀ: ଭାରତରେ ଦିନକରେ କରୋନାର ୧୧୫୦ ନୂଆ ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୩୪,୨୧୭ କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୧,୩୬୫ କୁ ହ୍ରାସ ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ଦେଶରେ ଗତ ୨୪ ଘଣ୍ଟାରେ ୮୩ ଜଣ ପ୍ରାଣ ହରାଇଛନ୍ତି । ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫,୨୧,୬୫୬ କୁ ବୃଦ୍ଧି ପାଇଛି।

ତଥ୍ୟ ଅନୁଯାୟୀ, ଦେଶରେ ଚିକିତ୍ସାଧୀନ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ୧୧,୩୬୫ କୁ ଖସି ଆସିଛି, ଯାହା ମୋଟ ରୋଗର ୦.୦୩ ପ୍ରତିଶତ ଅଟେ। ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ୧୨୭ ହ୍ରାସ ଘଟିଛି । ରୋଗୀଙ୍କ ସୁସ୍ଥ ହାର ହେଉଛି ୯୮.୭୬ ପ୍ରତିଶତ ।

ତଥ୍ୟ ଅନୁଯାୟୀ, ଦୈନିକ ସଂକ୍ରମଣ ହାର ୦.୨୫ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ହେଉଛି ୦.୨୩ ପ୍ରତିଶତ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୪,୨୫,୦୧,୧୯୬ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ କୋଭିଡ-୧୯ ରୁ ମୃତ୍ୟୁ ହାର ୧.୨୧ ପ୍ରତିଶତ ରହିଛି।

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୮୫.୫୫ କୋଟିରୁ ଅଧିକ ଟିକା ଡୋଜ୍ ଦିଆଯାଇଛି।