କରୋନା ଅପଡେଟ୍: କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ଆଉ ୧୫,୯୮୧ ମାମଲା | News Room Odisha

କରୋନା ଅପଡେଟ୍: କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ଆଉ ୧୫,୯୮୧ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଗ୍ରାଫ୍ ତଳକୁ ଖସିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ-୧୯ର ଆଉ ୧୫,୯୮୧ ନୂଆ ମାମଲା ଆସିଛି । ଏହା ପରେ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩.୪୦ କୋଟି ଅତିକ୍ରମ କରିଛି। ସେପଟେ ସକ୍ରିୟ ରୋଗୀ ସଂଖ୍ୟା ମଧ୍ୟ ଦୁଇ ଲକ୍ଷକୁ ଖସି ଆସିଛି, ଯାହାକି ୨୧୭ ଦିନ ମଧ୍ୟରେ ସର୍ବନିମ୍ନ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ଅନୁଯାୟୀ ଦିନକରେ ଆଉ ୧୬୬ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୪,୫୧,୯୮୦ କୁ ବୃଦ୍ଧି ପାଇଛି। ଲଗାତାର ୨୨ ଦିନ ଧରି ଦେଶରେ କୋଭିଡ-୧୯ର ଦୈନିକ ମାମଲା ୩୦ ହଜାରରୁ କମ୍ ଏବଂ ୧୧୧ ଦିନ ଧରି ୫୦ ହଜାରରୁ କମ୍ ରହିଛି । ଦେଶରେ ଚିକିତ୍ସାଧୀନ କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ୨,୦୧,୬୩କୁ ହ୍ରାସ ପାଇଛି, ଯାହାକି ମୋଟ ରୋଗର ୦.୬୦ ପ୍ରତିଶତ ଅଟେ। ଏଥି ସହିତ, ରୋଗୀଙ୍କ ଜାତୀୟ ସୁସ୍ଥତା ହାର ହେଉଛି ୯୮.୦୭ ପ୍ରତିଶତ, ଯାହା ମାର୍ଚ୍ଚ ୨୦୨୦ ଠାରୁ ସର୍ବାଧିକ ଅଟେ।

ତଥ୍ୟ ଅନୁଯାୟୀ, ଦେଶରେ କୋଭିଡ-୧୯ ପାଇଁ ମୋଟ ୫୮ କୋଟି ୯୮ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ଶୁକ୍ରବାର ଦିନ ୯ ଲକ୍ଷ ୨୩ ହଜାର ନମୁନା ପରୀକ୍ଷା କରାଯାଇଥିଲା। ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୯୭.୨୩ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି।