କରୋନା ଅପଡେଟ୍: ଦେଶରେ ୧,୯୪୬ ନୂଆ ମାମଲା, ୧୦ ମୃତ | News Room Odisha

କରୋନା ଅପଡେଟ୍: ଦେଶରେ ୧,୯୪୬ ନୂଆ ମାମଲା, ୧୦ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧,୯୪୬ ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୬,୩୪,୩୭୬ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୫,୯୬୮ କୁ ଖସି ଆସିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ବୁଧବାର ସକାଳ ୮ ଟା ସୁଦ୍ଧା ଅପଡେଟ୍ ତଥ୍ୟ ଅନୁଯାୟୀ ଦେଶରେ କରୋନାରୁ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୫,୨୮,୯୨୩ କୁ ବୃଦ୍ଧି ପାଇଛି।

ତଥ୍ୟ ଅନୁଯାୟୀ, ଦେଶରେ ଚିକିତ୍ସାଧୀନ କୋଭିଡ୍ ରୋଗୀଙ୍କ ସଂଖ୍ୟା ୨୫,୯୬୮ କୁ ଖସି ଆସିଛି, ଯାହା ମୋଟ ରୋଗର ୦.୦୬ ପ୍ରତିଶତ । ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ବା ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ୪୮୧ ହ୍ରାସ ରେକର୍ଡ କରାଯାଇଛି। ଏଥି ସହିତ ରୋଗୀମାନଙ୍କର ଜାତୀୟ ସୁସ୍ଥତା ହାର ୯୮.୭୬ ପ୍ରତିଶତକୁ ବୃଦ୍ଧି ପାଇଛି।

ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ଦୈନିକ ସଂକ୍ରମଣ ହାର ୦.୭୫ ପ୍ରତିଶତ ହୋଇଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୧.୦୧ ପ୍ରତିଶତ ରହିଛି। ଦେଶରେ ଏପର୍ଯ୍ୟନ୍ତ ୪,୪୦,୭୯,୪୮୫ ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ କୋଭିଡ-୧୯ ମୃତ୍ୟୁ ହାର ୧.୧୯ ପ୍ରତିଶତ ରେକର୍ଡ କରାଯାଇଛି। ଅପରପକ୍ଷରେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୨୧୯.୪୧ କୋଟି ଡୋଜ୍ ଟିକା ଦିଆଯାଇଛି।