କରୋନାର ନିମ୍ନଗତି ଜାରି, ଦିନକରେ ଆଉ ମାତ୍ର ୧୯,୯୬୮ ମାମଲା | News Room Odisha

କରୋନାର ନିମ୍ନଗତି ଜାରି, ଦିନକରେ ଆଉ ମାତ୍ର ୧୯,୯୬୮ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନାର ନିମ୍ନଗତି ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ଦୈନିକ ସଂକ୍ରମଣ ୨୦ ହଜାର ତଳକୁ ଖସିଛି। ଦିନକରେ ଆଉ ୧୯,୯୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭୩ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ୨୨,୨୭୦ ମାମଲା ପଞ୍ଜିକୃତ ହୋଇଥିଲା। ଅର୍ଥାତ୍ ଗତକାଲି ତୁଳନାରେ ଆଜି ମାମଲା ହ୍ରାସ ପାଇଛି। ଦିନକରେ ଦେଶରେ ୪୮,୮୪୭ ଲୋକ ସୁସ୍ଥ ହୋଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨ ଲକ୍ଷ ୨୪ ହଜାର ୧୮୭ କୁ ହ୍ରାସ ପାଇଛି। ଏଥି ସହିତ, ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୧୧ ହଜାର ୯୦୩ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୪ କୋଟି ୨୦ ଲକ୍ଷ ୮୬ ହଜାର ୩୮୩ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

ଦେଶବ୍ୟାପୀ ଟିକାକରଣ ଅଭିଯାନରେ ଏପର୍ୟ୍ୟନ୍ତ ପ୍ରାୟ ୧୭୫ କୋଟି ଡୋଜ୍ ଟିକା ଦିଆଯାଇଛି। ଗତକାଲି ୩୦ ଲକ୍ଷ ୮୧ ହଜାର ୩୩୬ ଡୋଜ ଦିଆଯାଇଥିଲା, ଯାହା ପରେ ଏପର୍ଯ୍ୟନ୍ତ ୧୭୫ କୋଟି ୩୭ ଲକ୍ଷ ୨୨ ହଜାର ୬୯୭ ଡୋଜ ଟିକା ଦିଆଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟ କର୍ମୀ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ୧.୮୯ କୋଟିରୁ ଅଧିକ (୧,୮୯,୦୭,୮୨୯) ବୁଷ୍ଟର ଡୋଜ୍ ଦିଆଯାଇଛି।