କରୋନା ଅପଡେଟ୍: ସଂକ୍ରମଣର ଊର୍ଦ୍ଧ୍ବମୁଖୀ ଧାରା ଜାରି, ଦିନକରେ ଆସିଲା ୩୩,୭୫୦ ମାମଲା, ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୦ ଟପିଲା | News Room Odisha

କରୋନା ଅପଡେଟ୍: ସଂକ୍ରମଣର ଊର୍ଦ୍ଧ୍ବମୁଖୀ ଧାରା ଜାରି, ଦିନକରେ ଆସିଲା ୩୩,୭୫୦ ମାମଲା, ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୦ ଟପିଲା

ନୂଆଦିଲ୍ଲୀ: ଓମିକ୍ରନ୍ ଆତଙ୍କ ଏବଂ ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ମଧ୍ୟରେ ସମଗ୍ର ଦେଶରେ ପୁଣି ଥରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢୁଛି । ଜାତୀୟ ରାଜଧାନୀ ଦିଲ୍ଲୀ, ମୁମ୍ବାଇ ଓ ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି। କରୋନାର ଗତ ୨୪ ଘଣ୍ଟା ମଧ୍ୟରେ ୩୩ ହଜାର ୭୫୦ ନୂଆ ମାମଲା ରିପୋର୍ଟ ହୋଇଛି । ଯାହା ଗତକାଲି ଅପେକ୍ଷା ୨୨ ପ୍ରତିଶତ ଅଧିକ ଏବଂ ସେପ୍ଟେମ୍ବର ୧୭ ପରେ ସର୍ବାଧିକ । ଦିନକରେ ଏହି ରୋଗରେ ୧୨୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ପରେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧ ଲକ୍ଷ ୪୫ ହଜାର ୫୮୨ କୁ ବୃଦ୍ଧି ପାଇଛି।

ତେବେ ଏହି ସମୟ ମଧ୍ୟରେ କରୋନାରୁ ୧୦ ହଜାର ୮୪୬ ଜଣ ଲୋକ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନାରୁ ଆରୋଗ୍ୟ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୯୫ ହଜାର ୪୦୭ କୁ ବୃଦ୍ଧି ପାଇଛି। ଏହି ମହାମାରୀରେ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୮୧ ହଜାର ୮୯୩ ଲୋକ ପ୍ରାଣ ହରାଇଛନ୍ତି।

ଦେଶରେ ଏପର୍ଯ୍ୟନ୍ତ ୧୪୫ କୋଟିରୁ ଅଧିକ ଟିକା ଡୋଜ୍ ଦିଆଯାଇଛି । ସଂକ୍ରମଣର ପୁଣି ଉପରମୁହାଁ ଧାରା ମଧ୍ୟରେ ଆଜିଠାରୁ ୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ ହୋଇଛି ।

ସେପଟେ ଦେଶରେ ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ୧୭୦୦ ଟପିଛି । ଏଯାବତ୍ ଏହି ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ହୋଇଥିବା ଲୋକମାନଙ୍କ ମଧ୍ୟରୁ ୬୩୯ ଜଣ ସୁସ୍ଥ ହୋଇଛନ୍ତି ।