୨୪ ଘଣ୍ଟାରେ ଆଉ ୫୮,୦୭୭ ନୂଆ ମାମଲା, ୬୫୭ ମୃତ | News Room Odisha

୨୪ ଘଣ୍ଟାରେ ଆଉ ୫୮,୦୭୭ ନୂଆ ମାମଲା, ୬୫୭ ମୃତ

ନୂଆଦିଲ୍ଲୀ:ଦେଶରେ କରୋନା ତୃତୀୟ ଲହରର ତଳମୁହାଁ ଗତି ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୮,୦୭୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୫୭ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ତୁଳନାରେ ଆଜି ୧୩.୪ ପ୍ରତିଶତ କମ୍ ମାମଲା ପଞ୍ଜିକୃତ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୬ ଲକ୍ଷ ୯୭ ହଜାର ୮୦୨ କୁ ଖସି ଆସିଛି। ଅନ୍ୟପକ୍ଷରେ ଏହି ମହାମାରୀ ଯୋଗୁଁ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୭ ହଜାର ୧୭୭କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ୪ କୋଟି ୧୩ ଲକ୍ଷ ୩୧ ହଜାର ୧୫୮ ଲୋକ ସୁସ୍ଥ ହୋଇଛନ୍ତି।

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ପ୍ରାୟ ୧୭୨ କୋଟି ଡୋଜ୍ ଟିକା ଦିଆଯାଇଛି। ଗତକାଲି ଆଉ ୪୮ ଲକ୍ଷ ୧୮ ହଜାର ୮୬୭ ଡୋଜ ଦିଆଯାଇଥିଲା । ଦେଶରେ ଏପର୍ଯ୍ୟନ୍ତ ମୋଟ ୧୭୨ କୋଟି ୭୯ ଲକ୍ଷ ୫୧ ହଜାର ୪୩୨ ଡୋଜ୍ ଟିକା ଦିଆଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ୧.୬୪ କୋଟିରୁ ଅଧିକ (୧,୬୪,୬୧,୨୩୧) ସ୍ୱାସ୍ଥ୍ୟ କର୍ମୀ, କରୋନା ଯୋଦ୍ଧା ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ (ବରିଷ୍ଠ ନାଗରିକ) ତୃତୀୟ ବା ବୁଷ୍ଟର ଡୋଜ୍ ଦିଆଯାଇଛି।