କରୋନା ଅପଡେଟ୍: ଦେଶରେ ୬,୬୫୦ ନୂଆ ମାମଲା, ୩୭୪ ମୃତ; ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮କୁ ବୃଦ୍ଧି | News Room Odisha

କରୋନା ଅପଡେଟ୍: ଦେଶରେ ୬,୬୫୦ ନୂଆ ମାମଲା, ୩୭୪ ମୃତ; ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮କୁ ବୃଦ୍ଧି

ନୂଆଦିଲ୍ଲୀ: ଓମିକ୍ରନ ବିପଦ ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬,୬୫୦ ନୂଆ ମାମଲା ରିପୋର୍ଟ ହୋଇଛି। ଏହି ସମୟରେ ୩୭୪ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୫୮ ଟି ଓମିକ୍ରନ୍ ମାମଲା ରୁଜୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୭୭ ହଜାର ୫୧୬ ରହିଛି। ଏଥି ସହିତ, ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୭୯ ହଜାର ୧୩୩ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି ୭ ହଜାର ୫୧ ଜଣ ସୁସ୍ଥ ହୋଇଥିଲେ, ଯାହା ପରେ ଏପର୍ଯ୍ୟନ୍ତ ମୋଟ ୩ କୋଟି ୪୨ ଲକ୍ଷ ୧୫ ହଜାର ୯୭୭ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

ଦେଶବ୍ୟାପୀ ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ୧୪୦ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ୫୭ ଲକ୍ଷ ୪୪ ହଜାର ୬୫୨ ଡୋଜ ଦିଆଯାଇଥିଲା, ଯାହା ପରେ ଏପର୍ୟ୍ୟନ୍ତ ୧୪୦ କୋଟି ୩୧ ଲକ୍ଷ ୬୩ ହଜାର ୬୩ ଡୋଜ ଟିକା ଦିଆଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଦେଶରେ କରୋନାର ଓମିକ୍ରନ୍ ଭାରିଆଣ୍ଟର ମୋଟ ମାମଲା ୩୫୮ କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସର୍ବାଧିକ ୮୮ ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି। ଭଲ କଥା ହେଉଛି ଓମିକ୍ରନର ୩୫୮ ରୋଗୀଙ୍କ ମଧ୍ୟରୁ ୧୧୪ ଜଣ ସୁସ୍ଥ ହୋଇଛନ୍ତି।