କରୋନା ଅପଡେଟ୍: ହଠାତ୍ ବଢ଼ିଗଲା ମୃତ୍ୟୁ ସଂଖ୍ୟା, ଦିନକରେ ୬୬୬ ମୃତ, ୧୬,୩୨୬ ସଂକ୍ରମିତ ଚିହ୍ନଟ | News Room Odisha

କରୋନା ଅପଡେଟ୍: ହଠାତ୍ ବଢ଼ିଗଲା ମୃତ୍ୟୁ ସଂଖ୍ୟା, ଦିନକରେ ୬୬୬ ମୃତ, ୧୬,୩୨୬ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୧୬,୩୨୬ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହା ସହିତ ଦେଶରେ ମୋଟ କୋଭିଡ ମାମଲା ୩ କୋଟି ୪୧ ଲକ୍ଷ ୫୯ ହଜାର ୫୬୨କୁ ବୃଦ୍ଧି ପାଇଛି। ତେବେ ସମଗ୍ର ଦେଶରେ କୋଭିଡ ଜନିତ ମୃତ୍ୟୁସଂଖ୍ୟା ହଠାତ୍ ବଢିଯାଇଛି । ଦିନକରେ ଏହି ମହାମାରୀରେ ୬୬୬ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କୋଭିଡ କାରଣରୁ ମୋଟ ୪ ଲକ୍ଷ ୫୩ ହଜାର ୭୦୮ ଜଣଙ୍କର ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ଗତ ଆଠ ମାସ ମଧ୍ୟରେ ସର୍ବନିମ୍ନ ସକ୍ରିୟ ମାମଲା ପଞ୍ଜିକୃତ ହୋଇଛି। ସମଗ୍ର ଦେଶରେ ସକ୍ରିୟ ମାମଲା ୧,୭୩,୭୨୮ ରେକର୍ଡ କରାଯାଇଛି, ଯାହା ଗତ ୨୩୩ ଦିନ ମଧ୍ୟରେ ସର୍ବନିମ୍ନ ଅଟେ। ସକ୍ରିୟ ସଂକ୍ରମଣ ସମୁଦାୟ ସଂକ୍ରମଣର ଏକ ପ୍ରତିଶତରୁ କମ୍ ରହିଛି |

ବର୍ତ୍ତମାନ ଦେଶରେ ସୁସ୍ଥତା ହାର ୯୮.୧୬ ପ୍ରତିଶତ ରେକର୍ଡ କରାଯାଇଛି, ଯାହା ମାର୍ଚ୍ଚ ୨୦୨୦ ଠାରୁ ସର୍ବାଧିକ ଅଟେ। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୧୭,୬୭୭ ରୋଗୀ କୋଭିଡ ମହାମାରୀରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୩ କୋଟି ୩୫ ଲକ୍ଷ ୩୨ ହଜାର ୧୨୬ ଲୋକ ଏହି ମହାମାରୀକୁ ମାତ୍ ଦେଇଛନ୍ତି।

ମନ୍ତ୍ରଣାଳୟର ସୂଚନାନୁସାରେ, ଜାତୀୟ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ଦେଶର ମୋଟ ୧୦୧.୩୦ କୋଟି ଟିକା ଡୋଜ୍ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୬୮,୪୮,୪୧୭ ଡୋଜ ଟିକା ଦିଆଯାଇଛି।