କରୋନା ଅପଡେଟ୍: ଦେଶରେ ସଂକ୍ରମଣ ପୁଣି ଉପରମୁହାଁ, ଗତ ୨୪ ଘଣ୍ଟାରେ ୭,୨୪୦ ନୂଆ ମାମଲା | News Room Odisha

କରୋନା ଅପଡେଟ୍: ଦେଶରେ ସଂକ୍ରମଣ ପୁଣି ଉପରମୁହାଁ, ଗତ ୨୪ ଘଣ୍ଟାରେ ୭,୨୪୦ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହେବାରେ ଲାଗିଛି । କ୍ରମାଗତ ଦୁଇ ଦିନ ଧରି ଦୈନିକ ମାମଲାରେ ବୃଦ୍ଧି ଲକ୍ଷ୍ୟ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୭,୨୪୦ ମାମଲା ରିପୋର୍ଟ ହୋଇଛି । ଏହା ସହ ଦେଶରେ ମୋଉ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୩୧ ଲକ୍ଷ, ୯୭ ହଜାର ୫୨୨ କୁ ବୃଦ୍ଧି ପାଇଛି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ନୂଆ ମାମଲାରେ ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ କୋଭିଡ ଯୋଗୁଁ ଆଉ ୮ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କୋଭିଡ କାରଣରୁ ମୋଟ ୫ ଲକ୍ଷ ୨୪ ହଜାର ୭୨୩ ଜଣଙ୍କର ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ସାରା ଦେଶରେ ସକ୍ରିୟ ମାମଲା ବର୍ତ୍ତମାନ ୩୨, ୪୯୮ କୁ ବୃଦ୍ଧି ପାଇଛି। ସକ୍ରିୟ ସଂକ୍ରମଣ ମୋଟ ମାମଲାର ୦.୦୮ ପ୍ରତିଶତ ଅଟେ । ବର୍ତ୍ତମାନ ଦେଶରେ ସୁସ୍ଥ ହାର ୯୮.୭୧ ପ୍ରତିଶତକୁ ଖସି ଆସିଛି। ଅବଶ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ମୋଟ ୩୫୯୧ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏପର୍ଯ୍ୟନ୍ତ ମୋଟ ୪ କୋଟି, ୨୬ ଲକ୍ଷ, ୪୦ ହଜାର, ୩୦୧ ଲୋକ ଏହି ରୋଗରୁ ସୁସ୍ଥ ହୋଇଛନ୍ତି ।

ଦେଶରେ ଦୈନିକ ପଜିଟିଭିଟି ହାର ବର୍ତ୍ତମାନ ୨.୧୩ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ୧.୩୧ ପ୍ରତିଶତକୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ (ଜୁନ୍ ୮ ପର୍ଯ୍ୟନ୍ତ) ଦେଶରେ ମୋଟ ୮୫.୩୮ କୋଟି ନମୁନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୪୦,୬୧୫ ନମୁନା ପରୀକ୍ଷା କରାଯାଇଛି ।

ମନ୍ତ୍ରଣାଳୟର ସୂଚନାନୁସାରେ, ଜାତୀୟ ଟିକାକରଣ ଅଭିଯାନ ଅଧୀନରେ ଏଯାବତ୍ ଦେଶରେ ମୋଟ ୧୯୪.୫୯ କୋଟି ଟିକା ଡୋଜ୍ ଦିଆଯାଇଛି।