କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୮,୦୮୪ ଟି ନୂଆ ମାମଲା, ଚାରି ମାସ ପରେ ଦୈନିକ ସଂକ୍ରମଣ ହାର ତିନି ପ୍ରତିଶତ | News Room Odisha

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୮,୦୮୪ ଟି ନୂଆ ମାମଲା, ଚାରି ମାସ ପରେ ଦୈନିକ ସଂକ୍ରମଣ ହାର ତିନି ପ୍ରତିଶତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ କୋଭିଡ-୧୯ର ଆଉ ୮,୦୮୪ ଟି ନୂଆ ମାମଲା ରିପୋର୍ଟ ହୋଇଛି । ନୂଆ ମାମଲା ସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୨,୩୦,୧୦୧ କୁ ବୃଦ୍ଧି ପାଇଛି। ଏଥି ସହିତ ଦେଶରେ ଚାରି ମାସ ପରେ ସଂକ୍ରମଣର ଦୈନିକ ହାର ତିନି ପ୍ରତିଶତ ଟପିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ , ଭାରତରେ କରୋନା ଯୋଗୁଁ ଆଉ ୧୦ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୫,୨୪,୭୭୧ କୁ ବୃଦ୍ଧି ପାଇଛି। ଦେଶରେ କୋଭିଡ-୧୯ର ସକ୍ରିୟ ତଥା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୭,୯୯୫ କୁ ବୃଦ୍ଧି ପାଇଛି, ଯାହାକି ମୋଟ ମାମଲାର ୦.୧୧ ପ୍ରତିଶତ । ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟାରେ ୩,୪୮୨ ବୃଦ୍ଧି ପଞ୍ଜିକୃତ ହୋଇଛି । ରୋଗୀଙ୍କ ଜାତୀୟ ସୁସ୍ଥତା ହାର ହେଉଛି ୯୮.୬୮ ପ୍ରତିଶତ ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଦୈନିକ ସଂକ୍ରମଣ ହାର ୩.୨୪ ପ୍ରତିଶତ ଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୨.୨୧ ପ୍ରତିଶତ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୪,୨୬,୫୭,୩୩୫ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ କୋଭିଡ-୧୯ ମୃତ୍ୟୁ ହାର ୧.୨୧ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୯୫.୧୯ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି।