ବେଙ୍ଗାଲୁରୁ ଟେଷ୍ଟ: ପନ୍ତ, ଆୟରଙ୍କ ଅର୍ଦ୍ଧଶତକ, ଶ୍ରୀଲଙ୍କାକୁ ୪୪୭ ରନର ଟାର୍ଗେଟ୍ ଦେଲା ଭାରତ | News Room Odisha

ବେଙ୍ଗାଲୁରୁ ଟେଷ୍ଟ: ପନ୍ତ, ଆୟରଙ୍କ ଅର୍ଦ୍ଧଶତକ, ଶ୍ରୀଲଙ୍କାକୁ ୪୪୭ ରନର ଟାର୍ଗେଟ୍ ଦେଲା ଭାରତ

ବେଙ୍ଗାଲୁରୁ: ଯଶପ୍ରୀତଙ୍କ ପାଞ୍ଚ ୱିକେଟ୍ ସଫଳତା ପରେ ରିଷଭ ପନ୍ତ ଓ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଶ୍ରୀଲଙ୍କା ଆଗରେ ୪୪୭ ରନର ବିଶାଳ ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହାର ଜବାବରେ ଶ୍ରୀଲଙ୍କା ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ୍ ହରାଇ ୨୮ ରନ୍ କରିଛି । ଲାହିରୁ ଥିରିମାନେ (୦)ଙ୍କୁ ଆଉଟ୍ କରି ବୁମରା ଶ୍ରୀଲଙ୍କାକୁ ସଅଳ ଏକ ଝଟକା ଦେଇଛନ୍ତି । ଷ୍ଟମ୍ପ ଅପସାରଣ ବେଳକୁ ଶ୍ରୀଲଙ୍କା କ୍ୟାପଟେନ୍ ଦିମୁତ କରୁଣାରତ୍ନେ ୧୦ ଓ କୁସଲ ମେଣ୍ଡିସ୍ ୧୬ ରନ୍ କରି ଅପରାଜିତ ଅଛନ୍ତି । ମ୍ୟାଚରେ ଆହୁରି ବହୁତ ସମୟ ଅଛି । ଆହୁରି ତିନି ଦିନର ଖେଳ ବାକି ରହିଛି । ହେଲେ ସୋମବାର ହିଁ ମ୍ୟାଚ୍ ଶେଷ ହେବା ସମ୍ଭାବନା ରହିଛି । ବିଜୟ ପାଇଁ ଶ୍ରୀଲଙ୍କାକୁ ଆହୁରି ୪୧୯ ରନ୍ ଆବଶ୍ୟକ ହେଉଥିବା ବେଳେ ଭାରତକୁ ଦରକାର ୯ ୱିକେଟ୍ । ପିଚ୍ କ୍ରମାଗତ ବ୍ୟାଟିଂ ପାଇଁ କଷ୍ଟକର ହେଉଥିବାରୁ ଭାରତୀୟ ସ୍ପିନର ତୃତୀୟ ତୃତୀୟ ଦିନରେ ଆଧିପତ୍ୟ ବିସ୍ତାର କରିବେ ବୋଲି ମନେ କରାଯାଉଛି । ଏଭଳି ସ୍ଥଳେ ଭାରତ ତୃତୀୟ ଦିନରେ ଶ୍ରୀଲଙ୍କାର ଅବଶିଷ୍ଟ ୯ ୱିକେଟ୍ ଖସାଇ ମ୍ୟାଚ୍ ସହ ସିରିଜ୍ କ୍ଲିନ୍ ସୁଇପ୍ କରିବ ବୋଲି ଆଶା କରାଯାଉଛି ।
ପନ୍ତ ଓ ଆୟରଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ଦ୍ୱିତୀୟ ଇନିଂସରେ ୯ ୱିକେଟ୍ ହରାଇ ୩୦୩ ରନରେ ପାଳି ଘୋଷଣା କରିଥିଲା । ଭାରତ ଓଭରଅଲ୍ ୪୪୬ ରନ୍ ଅଗ୍ରଣୀ ହାସଲ କରିଥିବା ବେଳେ ଶ୍ରୀଲଙ୍କା ଆଗରେ କଷ୍ଟକର ୪୪୭ ରନର ଟାର୍ଗେଟ୍ ଧାର୍ଯ୍ୟ ହୋଇଛି ।

ପୂର୍ବରୁ ଶ୍ରୀଲଙ୍କା ତାର ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର ୮୬/୬ରୁ ଖେଳ ଆରମ୍ଭ କରି ୧୦୯ ରନରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ଭାରତ ୧୪୩ ରନରେ ବୃହତ ଅଗ୍ରଣୀ ହାସଲ କରିଥିଲା । ଭାରତ ପକ୍ଷରୁ ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରା ୨୪ ରନ୍ ଦେଇ ୫ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସାମି ଓ ରବିଚନ୍ଦ୍ରନ ଅଶ୍ୱିନ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ ।

ପ୍ରଥମ ଇନିଂସରେ ବିଶାଳ ଅଗ୍ରଣୀ ପରେ ଦ୍ୱିତୀୟ ଇନିଂସରେ କ୍ୟାପଟେନ ରୋହିତ ଶର୍ମା ଓ ମୟଙ୍କ ଅଗ୍ରୱାଲ ଭାରତକୁ ଦୃଢ ଷ୍ଟାର୍ଟ ଦେଇଥିଲେ । ଉଭୟ ଓଭର ପିଛା ୪ ରନ ହାରରେ ରନ୍ ସଂଗ୍ରହ କରି ପ୍ରଥମ ୱିକେଟରେ ୪୨ ରନ୍ ଯୋଗ କରିଥିଲେ । ପ୍ରଥମ ଇନିଂସରେ ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍ ହୋଇଯାଇଥିବା ମୟଙ୍କ ଏଥର ଭଲ ଆରମ୍ଭକୁ ବଡ଼ ସ୍କୋରରେ ରୂପାନ୍ତର କରିପାରିନଥିଲେ । ମୟଙ୍କ ବ୍ୟକ୍ତିଗତ ୨୨ ରନରେ ଏମ୍ବୁଲଡେନିଆଙ୍କ ବଲରେ ଆଉଟ୍ ହୋଇଥିଲେ । ଏହାପରେ ରୋହିତଙ୍କ ସହ କ୍ରିଜରେ ଯୋଗ ଦେଇଥିଲେ ହନୁମା ବିହାରୀ । ଦୁହେଁ ୫୬ ରନ୍ ଯୋଗ କରିଥିଲେ । ରୋହିତ ସିରିଜରେ ପ୍ରଥମ ଅର୍ଦ୍ଧଶତକର ନିକଟତର ହୋଇଥିବା ବେଳେ ଏକ ପୁଲ ସଟ୍ ଖେଳିବାକୁ ଯାଇ ଧନଞ୍ଜୟ ଡି’ସିଲଭାଙ୍କ ବଲରେ ଆଉଟ୍ ହୋଇଥିଲେ । ରୋହିତ ୭୯ଟି ବଲରେ ୪ଟି ଚୌକା ସହ ୪୬ ରନ୍ କରିଥିଲେ ।

ବିହାରୀ ମଧ୍ୟ ପୁଣି ସୁଯୋଗ ହାତଛଡ଼ା କରିଥିଲେ । ସେ ବ୍ୟକ୍ତିଗତ ୩୫ ରନ୍ କରି ଜୟୱିକ୍ରମାଙ୍କ ଶିକାର ହୋଇଥିଲେ । ଗତ କିଛି ମ୍ୟାଚରେ ଉଦାସୀନ ଫର୍ମ ଦେଇ ଗତି କରୁଥିବା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବ୍ୟାଟରୁ ଏଥର ରନ୍ ବର୍ଷା ହେବ ବୋଲି ମନେ କରାଯାଉଥିଲା । ହେଲେ କୋହଲି ପୁଣି ନିରାଶ କରିଥିଲେ । କୋହଲି ମାତ୍ର ୧୩ ରନ୍ କରି ଜୟୱିକ୍ରମାଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଯାଇଥିଲେ । ଭାରତ ହଠାତ ୧୩୯ ରନରେ ୪ ୱିକେଟ୍ ହରାଇଥିଲା । ହେଲେ ରିଷଭ ପନ୍ତ ଏକ ବିସ୍ଫୋରକ ତଥା ରେକର୍ଡ ଅର୍ଦ୍ଧଶତକ ସହ ଭାରତର ସ୍କୋର ସହ ଅଗ୍ରଣୀକୁ ବଢାଇଥିଲେ । ସେ ମାତ୍ର ୨୮ଟି ବଲରେ ଅର୍ଦ୍ଧଶତକ ପୂରଣ କରି ଭାରତ ପକ୍ଷରୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ କରିଥିଲେ । ଏହି କ୍ରମରେ ସେ କିମ୍ବଦନ୍ତୀ ଅଲରାଉଣ୍ଡର କପିଳ ଦେବଙ୍କ ରେକର୍ଡ ଭାଙ୍ଗିଥିଲେ । ତେବେ ଅର୍ଦ୍ଧଶତକ ପୂରଣ କରିବା ପରେ ପରେ ପନ୍ତ ଜୟୱିକ୍ରମାଙ୍କ ବଲରେ ଆଉଟ୍ ହୋଇଯାଇଥିଲେ । ପନ୍ତ ୩୧ଟି ବଲରେ ୭ଟି ଚୌକା ଓ ୨ଟି ଛକା ସହ ୫୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ ।

ପନ୍ତଙ୍କ ପରେ ଶ୍ରେୟସ ଆୟର ମ୍ୟାଚରେ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ସହ ଭାରତର ସ୍ଥିତି ମଜବୁତ କରିଥିଲେ । ପ୍ରଥମ ଇନିଂସରେ ଧମାକାଦାର ୯୨ ରନ୍ କରିଥିବା ଆୟର ୮୭ ବଲରେ ୯ଟି ଚୌକା ସହ ୬୭ ରନ୍ କରିଥିଲେ । ଏହି ଚମତ୍କାର ଇନିଂସ୍ ପରେ ସେ ଏମ୍ବୁଲଡେନିଆଙ୍କ ଶିକାର ହୋଇଥିଲେ । ରବୀନ୍ଦ୍ର ଜାଡେଜା ୨୨ ଓ ରବିଚନ୍ଦ୍ରନ ଅଶ୍ୱିନ ୧୩ ରନ୍ କରି ଆଉଟ୍ ହୋଇଥିବା ବେଳେ ଭାରତ ୩୦୩/୯ରେ ଦ୍ୱିତୀୟ ଇନିଂସ୍ ସମାପ୍ତି ଘୋଷଣା କରିଥିଲା । ଶ୍ରୀଲଙ୍କା ପକ୍ଷରୁ ଜୟୱିକ୍ରମା ୪ଟି ଓ ଏମ୍ବୁଲଡେନିଆ ୩ଟି ୱିକେଟ୍ ନେଇଥିଲେ ।