ଆଜିଠୁ ପ୍ରଥମ ଟେଷ୍ଟ, ଦକ୍ଷିଣ ଆଫ୍ରିକାରେ ପ୍ରଥମ ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ | News Room Odisha

ଆଜିଠୁ ପ୍ରଥମ ଟେଷ୍ଟ, ଦକ୍ଷିଣ ଆଫ୍ରିକାରେ ପ୍ରଥମ ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ

ସେଞ୍ଚୁରିଅନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ସିରିଜର ପ୍ରଥମ ଟେଷ୍ଟ ରବିବାର ଠାରୁ ଆରମ୍ଭ ହେଉଛି । ଦକ୍ଷିଣ ଆଫ୍ରିକାରେ କେବେ ସିରିଜ୍ ଜିତିନଥିବା ଭାରତ ଏଥର ଏହି ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିଛି । ଭାରତ ପାଖରେ ମଧ୍ୟ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଏଥର ସୁବର୍ଣ୍ଣ ସୁଯୋଗ ଅଛି । କାରଣ ଦକ୍ଷିଣ ଆଫ୍ରିକା ଦଳ ପରିବର୍ତ୍ତନ ଦେଇ ଗତି କରୁଛି ଏବଂ ଭାରତ ତୁଳନାରେ ଅନଭିଜ୍ଞ । ପ୍ରଥମ ଟେଷ୍ଟ ପାଇଁ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ପୁଣିଥରେ ସଠିକ୍ ଟିମ୍ କମ୍ବିନେସନ୍ ବାଛିବା ଗୁରୁତ୍ୱପୂର୍ଣ୍ଣ ହେବ ।

ପଞ୍ଚମ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ ସ୍ଥାନ ପାଇଁ ନିଷ୍ପତ୍ତି କୋହଲି ଓ ଟିମ୍ ମ୍ୟାନେଜମେଣ୍ଟ ପାଇଁ କଷ୍ଟକର ହେବ । ଏହି ସ୍ଥାନ ପାଇଁ ଦୁଇ ଜଣ ଦାବିଦାର ହେଲେ ଅନଭିଜ୍ଞ ଶ୍ରେୟସ ଆୟର ଏବଂ ଫର୍ମ ପାଇଁ ସଂଘର୍ଷ କରୁଥିବା ଭେଟେରାନ ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେ । ଏହାଛଡ଼ା ପଞ୍ଚମ ବୋଲର ସ୍ଥାନ ପାଇଁ ଶାର୍ଦ୍ଦୁଲ ଠାକୁର ଓ ଈଶାନ୍ତ ଶର୍ମାଙ୍କ ମଧ୍ୟରୁ ଜଣକୁ ବାଛିବାକୁ ପଡ଼ିବ ।
ମୁମ୍ବାଇରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ରାହାଣେ ଓ ଈଶାନ୍ତଙ୍କୁ ଆଘାତପ୍ରାପ୍ତ ଦର୍ଶାଇ ‘ବିଶ୍ରାମ’ ଦିଆଯାଇଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରୁ ଉଭୟଙ୍କୁ ଚଡ଼ାନ୍ତ ଏକାଦଶରେ ସ୍ଥାନ ନ ପାଆନ୍ତି, ତେବେ ସେମାନଙ୍କୁ ବାଦ୍ ଦିଆଗଲା ବୋଲି ଧରି ନିଆଯିବ ।

୧୯୯୨ରେ ଐତିହାସିକ ପ୍ରଥମ ଗସ୍ତ ପରଠାରୁ ଭାରତ ୭ ଥର ଦକ୍ଷିଣ ଆଫ୍ରିକା ଗସ୍ତ କରିଛି । ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ମ୍ୟାଚ୍ ଜିତିଥିଲେ ମଧ୍ୟ ଭାରତ କେବେ ସିରିଜ୍ ଜିତିପାରି ନାହିଁ । ଏସିଆ ବାହାରେ ଭାରତୀୟ ଦଳ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡରେ ସିରିଜ୍ ବିଜୟୀ ହୋଇଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ଦଖଲ କରିପାରି ନାହିଁ । ନିଜ ଅଧିନାୟକ କାର୍ଯ୍ୟକାଳର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୋହଲି ଏହା ଭଲ ଭାବେ ଜାଣନ୍ତି ଏବଂ ଦକ୍ଷିଣ ଆଫ୍ରିିକାରେ ପ୍ରଥମ ସିରିଜ୍ ବିଜୟ ସହ ନିଜ ନାଁରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିବାକୁ ନିଶ୍ଚୟ ଚାହିଁବେ ।

ଦକ୍ଷିଣ ଆଫ୍ରିକାରେ ପ୍ରଥମ ସିରିଜ୍ ଜିତିବାକୁ ଭାରତ ପାଖରେ ଏହା ସବୁଠୁ ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଉଛି । କାରଣ ଦକ୍ଷିଣ ଆଫ୍ରିକା ଆଉ ଆଗ ଭଳି ଶକ୍ତିଶାଳୀ ଦଳ ହୋଇ ରହି ନାହିଁ । ଗତ କିଛି ବର୍ଷ ଧରି ଏହି ଦଳ ପରିବର୍ତ୍ତନର ଧାରା ଦେଇ ଗତି କରୁଛି । ଏହି ସୁଯୋଗର ଫାଇଦା ଉଠାଇବାକୁ କୋହଲିଙ୍କ ଦଳ ବ୍ୟଗ୍ର । ଦକ୍ଷିଣ ଆଫ୍ରିକା ଦଳରେ କେବଳ ଦୁଇ ଜଣ – ଅଧିନାୟକ ଡିନ୍ ଏଲଗାର ଓ ତେମ୍ବା ବାଭୁମା ୫୦ରୁ ଊର୍ଦ୍ଧ୍ୱ ଟେଷ୍ଟ ଖେଳିଛନ୍ତି । ଏହାଛଡ଼ା ଦ୍ରୁତ ବୋଲର ଆନରିଚ୍ ନର୍ଜେ ଆଘାତ କାରଣରୁ ସିରିଜରୁ ବାଦ୍ ପଡ଼ିବା ମଧ୍ୟ ଭାରତ ପାଇଁ ଏକ ଖୁସି ଖବର । ଏଭଳି ସ୍ଥିତି କୋହଲିଙ୍କ ଦଳ ପାଇଁ ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ସିରିଜ ବିଜୟର ବଡ଼ ସୁଯୋଗ ଆଣିଛି, ଯାହାକୁ ଟିମ୍ ଇଣ୍ଡିଆ ହାତଛଡ଼ା କରିବାକୁ ଚାହିଁବନି।

ଆହତ ହେବା ପରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଛନ୍ତି । ଏଭଳି ପରିସ୍ଥିତିରେ କେ.ଏଲ୍ ରାହୁଲ ଏବଂ ମୟଙ୍କ ଅଗ୍ରୱାଲଙ୍କ ଯୋଡି ପଡ଼ିଆରେ ଓପନିଂ କରୁଥିବାର ଦେଖିବାକୁ ମିଳିବ । ମୟଙ୍କ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରିଥିଲେ ଏବଂ ସେ ଅତ୍ୟଧିକ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ସାବ୍ୟସ୍ତ ହୋଇଥିଲେ । ଏହି ସମୟରେ ରାହୁଲ ନିଜର କ୍ଲାସିକ୍ ବ୍ୟାଟିଂ ପାଇଁ ଜଣାଶୁଣା । ଚେତେଶ୍ୱର ପୂଜାରାଙ୍କୁ ତିନି ନମ୍ବରରେ ଏକ ସୁଯୋଗ ଦିଆଯାଇପାରେ, କାରଣ ପୂଜାରା ଯେକୌଣସି ସମୟରେ ଏକ ବଡ଼ ଇନିଂସ ଖେଳିପାରନ୍ତି । କ୍ୟାପଟେନ ବିରାଟ କୋହଲି ଚତୁର୍ଥ ନମ୍ବରରେ ଖେଳିବା ନିଶ୍ଚିତ । ଦିନିକିଆ ଅଧିନାୟକ ପଦରୁ ହଟାଯିବା ପରେ ସେ ଏକ ବଡ଼ ଇନିଂସ ଖେଳି ଏହାର ଜବାବ ଦେବାକୁ ଚାହିଁବେ ।

ପଞ୍ଚମ ନମ୍ବର ପାଇଁ ଏକାଧିକ ଦାବିଦାର ଅଛନ୍ତି । ଭାରତର ପୂର୍ବତନ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ଶ୍ରେୟାସ ଆୟରଙ୍କ ମଧ୍ୟର ଜଣେ ଏହି ସ୍ଥାନ ନେଇପାରନ୍ତି । ଦୀର୍ଘ ଦିନ ଧରି ରାହାଣେ ଫର୍ମ ପାଇଁ ସଂଘର୍ଷ କରୁଛନ୍ତି। ଏଥି ସହିତ ଆୟର୍ ନ୍ୟୁଜିିଲାଣ୍ଡ ବିପକ୍ଷରେ ଏକ ଶତକ ହାସଲ କରି ନିଜର ଦବଦବା ଦେଖାଇଛନ୍ତି । ତାଙ୍କ ଦ୍ରୁତ ବ୍ୟାଟିଂରୁ ଦଳ ବହୁତ ଲାଭ ପାଇଥାଏ । ଏଭଳି ପରିସ୍ଥିତିରେ କୋହଲି ଏହି ବ୍ୟାଟ୍ସମ୍ୟାନଙ୍କୁ ଦଳରେ ସାମିଲ କରିପାରନ୍ତି । ଋଷଭ ପନ୍ତ ଲଗାତାର ଟିମ୍ ଇଣ୍ଡିଆ ପାଇଁ ଅନେକ ବଡ ଇନିଂସ ଖେଳି ଆସୁଛନ୍ତି । ବର୍ତ୍ତମାନ ସେ ଭାରତର ଏକ ନମ୍ବର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଓ ଲମ୍ବା ଛକା ମାରିବା ପାଇଁ ସେ ଜଣାଶୁଣା । ସେ ଷଷ୍ଠ ନମ୍ବରରେ ଖେଳିବା ନିଶ୍ଚିତ ।

ଦକ୍ଷିଣ ଆଫ୍ରିକାର ପିଚ୍ ଦ୍ରୁତ ବୋଲରମାନଙ୍କ ପାଇଁ ସର୍ବଦା ସହାୟକ ହୋଇଥାଏ । ଏଭଳି ପରିସ୍ଥିତିରେ ଭାରତ ଚାରିଟି ଦ୍ରୁତ ବୋଲରଙ୍କ ସହ ଖେଳିପାର । ଶାର୍ଦ୍ଦୁଲ ଠାକୁରଙ୍କୁ ଅଲରାଉଣ୍ଡର ଦାୟିତ୍ୱରେ ଦେଖିବାକୁ ମିଳିବ । ସେ ବ୍ୟାଟିଂ ତଥା ମାରାତ୍ମକ ବୋଲିଂରେ ମଧ୍ୟ ପାରଦର୍ଶୀ ଅଟନ୍ତି । ଜସପ୍ରୀତ ବୁମ୍ରା ଓ ମହମ୍ମଦ ଶାମି ଖେଳିବା ପ୍ରାୟ ନିଶ୍ଚିତ । ଏଥି ସହିତ ଯୁବ ବୋଲର ମହମ୍ମଦ ସିରାଜ ଦଳରେ ସ୍ଥାନ ପାଇପାରନ୍ତି । ଏହି ଖେଳାଳି ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଉତ୍କୃଷ୍ଟ ବୋଲିଂ ପ୍ରଦର୍ଶନ କରିଥିଲେ । ସିନିୟର ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ସ୍ପିନରଙ୍କ ଦାୟିତ୍ୱ ନିଭାଉଥିବାର ଦେଖିବାକୁ ମିଳିବ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦୁଇ ଜଣ ଖେଳାଳିଙ୍କୁ ବାଦ ଦେଇପାରନ୍ତି । ଇଶାନ୍ତ ଶର୍ମାଙ୍କ ଭଲ ଲୟରେ ନାହାଁନ୍ତି, ଯାହା ପାଇଁ ସେ ଜଣାଶୁଣା । ବିରୋଧୀ ବ୍ୟାଟ୍ସମ୍ୟାନ୍ ତାଙ୍କ ବିପକ୍ଷରେ ଜୋରଦାର ରନ୍ କରୁଛନ୍ତି । ତେଣୁ ଇଶାନ୍ତଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ଏକ ସୁଯୋଗ ଦିଆଯାଇପାରେ । ଅଜିଙ୍କ୍ୟ ରାହାଣେଙ୍କ ବ୍ୟାଟରୁ ଦୀର୍ଘ ସମୟ ଧରି ରନ୍ ଆସୁନାହିଁ । ଏଭଳି ପରିସ୍ଥିତିରେ ଅଜଙ୍କ୍ୟ ରାହାଣେଙ୍କ ସ୍ଥାନରେ ଶ୍ରେୟସ୍ ଆୟରଙ୍କୁ ଏକ ସୁଯୋଗ ଦିଆଯାଇପାରେ ।

ଭାରତ: ବିରାଟ କୋହଲି (ଅଧିନାୟକ), କେଏଲ ରାହୁଲ (ଉପଅଧିନାୟକ), ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଶ୍ରେୟସ ଆୟର, ରିଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଲ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ, ଅଜିଙ୍କ୍ୟ ରାହାଣେ, ରିଦ୍ଧିମାନ ଶାହା, ଜୟନ୍ତ ଯାଦବ, ପ୍ରିୟଙ୍କ ପାଞ୍ଚଲ, ଉମେଶ ଯାଦବ, ହନୁମା ବିହାରୀ, ଈଶାନ୍ତ ଶର୍ମା ।

ଦକ୍ଷିଣ ଆଫ୍ରିକା: ଡିନ୍ ଏଲଗାର (ଅଧିନାୟକ), ତେମ୍ବା ବାଭୁମା, କ୍ୱିଣ୍ଟନ ଡି’କକ୍‌, କାଜିସୋ ରବାଡା, ସାରେଲ୍ ଏରୱି, ବେଉରାନ୍ ହେଣ୍ଡ୍ରିକ୍ସ, ଜର୍ଜ ଲିଣ୍ଡେ, କେଶବ ମହାରାଜ, ଲୁନଗି ଏନଗିଡି, ଏଡେନ୍ ମାର୍କାରମ୍‌, ୱିଆନ୍ ମୁଲ୍ଡର, କିଗାନ ପିଟରସନ, ରାସି ଭାନ୍ ଡର ଡୁସେନ୍‌, କାଇଲ ଭେରିୟେନ, ମାର୍କୋ ଜାନସେନ, ଗ୍ଲେଣ୍ଟନ ଷ୍ଟୁର୍ମାନ, ପ୍ରେନାଲେନ୍ ସୁବ୍ରାୟେନ, ସିସାଣ୍ଡା ମାଗାଲା, ରାୟାନ ରିକେଲଟନ୍‌, ଡୁଏନ୍ ଓଲିଭିୟର ।