ଅଷ୍ଟ୍ରେଲିଆକୁ ହରାଇ ବିଶ୍ବକପ୍ ଅଭିଯାନ ଆରମ୍ଭ କଲା ଭାରତ | News Room Odisha

ଅଷ୍ଟ୍ରେଲିଆକୁ ହରାଇ ବିଶ୍ବକପ୍ ଅଭିଯାନ ଆରମ୍ଭ କଲା ଭାରତ

ଚେନ୍ନାଇ: ଚମତ୍କାର ବିଜୟରୁ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି ଭାରତ । ସ୍ପିନରଙ୍କ ଯାଦୁକରୀ ପ୍ରଦର୍ଶନ ସହ ବିରାଟ କୋହଲି ଓ କେଏଲ୍ ରାହୁଲଙ୍କ ଶତକୀୟ ଭାଗିଦାରୀ ସହାୟତାରେ ଭାରତ ନିଜ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ଓ୍ବିକେଟରେ ହରାଇଛି ।

ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଏକ ମନ୍ଥର ପିଚରେ ଭାରତୀୟ ସ୍ପିନରଙ୍କ ଆଗରେ ସଂଘର୍ଷ କରିଥିଲା । ପ୍ୟାଟ୍ କମିନ୍ସଙ୍କ ଦଳ ୪୯.୩ ଓଭରରେ ମାତ୍ର ୧୯୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ହେଲେ ଏହି ମାମୁଲି ଲକ୍ଷ୍ୟର ଜବାବରେ ଭାରତ ମାତ୍ର ୨ ରନରେ ୩ଟି ଓ୍ବିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ଅଧିନାୟକ ରୋହିତ ଶର୍ମା, ଇଶାନ କିଶନ ଓ ଶ୍ରେୟସ ଆୟର ଖାତା ଖୋଲିନପାରି ଆଉଟ୍ ହୋଇଥିଲେ । ତେବେ କୋହଲି ଓ ରାହୁଲ ଚତୁର୍ଥ ଓ୍ବିକେଟ୍ ପାଇଁ ୧୬୫ ରନର ଭାଗିଦାରୀ ସହ ଭାରତକୁ ଏହି ପ୍ରାରମ୍ଭିକ ବିପର୍ଯ୍ୟୟରୁ ଉଦ୍ଧାର କରା ବିଜୟ ସୁନିଶ୍ଚିତ କରିଥିଲେ ‌। ବିଜୟ ପାଇଁ ଆଉ ୩୩ ରନ୍ ଥିବାବେଳେ କୋହଲି ଆଉଟ୍ ହୋଇଥିଲେ । ତେବେ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଔପଚାରିକତା ପୂରଣ କରିଥିଲେ । ପ୍ୟାଟ୍ କମିନ୍ସଙ୍କ ବଲରେ ଏକ ଛକା ମାରି ରାହୁଲ ମ୍ୟାଚ୍ ଫିନିଶ୍ କରିଥିଲେ । ଭାରତ ୪୧.୨ ଓଭରରେ ମ୍ୟାଚ୍ ଜିତିନେଇଛି ।

ରାହୁଲ ୧୧୫ ବଲରେ ୮ଟି ଚୌକା ଓ ୨ଟି ଛକା ସହ ଅପରାଜିତ ୯୭ ରନ୍ କରିଥିଲେ । କୋହଲି ୧୧୬ ବଲରେ ୬ଟି ଚୌକା ସହ ୮୫ ରନ୍ କରିଥିଲେ । ଅବଶ୍ୟ କୋହଲିଙ୍କୁ ୧୨ ରନରେ ଏକ ଜୀବନଦାନ ମିଳିଥିଲା । ତାଙ୍କର ଏକ କ୍ୟାଚ୍ ଛାଡ଼ି ଦେଇଥିଲେ ମିଚେଲ ମାର୍ଶ । ପାଣ୍ଡ୍ୟା ୧୧ ରନ୍ କରି ଅପରାଜିତ ରହିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜୋସ୍ ହାଜଲଉଡ୍ ୩ଟି ଓ ମିଚେଲ ଷ୍ଟାର୍କ ଗୋଟିଏ ଓ୍ବିକେଟ୍ ନେଇଥିଲେ ।

ପୂର୍ବରୁ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଏକ ସ୍ଲୋ ପିଚରେ ଭାରତୀୟ ସ୍ପିନରଙ୍କ ମୁକାବିଲା କରିପାରିନଥିଲା । ଦଳ ୧୯୯ ରନରେ ଆଉଟ୍ ହୋଇଥିଲା । ଦଳ ପକ୍ଷରୁ ଷ୍ଟିଭ୍ ସ୍ମିଥ୍ ସର୍ବାଧିକ ୪୬ ରନ୍ କରିଥିବା ବେଳେ ଡେଭିଡ୍ ଓ୍ବାର୍ଣ୍ଣର ୪୧, ଷ୍ଟାର୍କ ୨୮ ଓ‌ ଲାବୁସେନ୍ ୨୭ ରନ୍ କରିଥିଲେ । ଭାରତ ତରଫରୁ ଜାଡେଜା ୩ଟି ଓ୍ବିକେଟ୍ ନେଇଥିଲେ । କୁଲଦୀପ ଓ ବୁମରା ୨ଟି ଲେଖାଏଁ ୱିକେଟ୍ ପାଇଥିଲେ ‌