ଭାରତୀୟ ଛାତ୍ରଙ୍କ ମୃତ୍ୟୁ ନେଇ ୟୁକ୍ରେନ, ରୁଷ୍ ରାଷ୍ଟ୍ରଦୂତଙ୍କୁ ସମନ ଜାରି କଲେ ସରକାର | News Room Odisha

ଭାରତୀୟ ଛାତ୍ରଙ୍କ ମୃତ୍ୟୁ ନେଇ ୟୁକ୍ରେନ, ରୁଷ୍ ରାଷ୍ଟ୍ରଦୂତଙ୍କୁ ସମନ ଜାରି କଲେ ସରକାର

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣର ସିଧାସଳଖ ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିବା ଆରମ୍ଭ କରିଛି। ରୁଷର ଆକ୍ରମଣରେ ୟୁକ୍ରେନର ଖାର୍କିଭ ସହରରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଏହି ଛାତ୍ର ଜଣକ କର୍ଣ୍ଣାଟକର ବାସିନ୍ଦା ନବୀନ ବୋଲି ଜଣାପଡିଛି। ଏହି ପ୍ରସଙ୍ଗରେ ଭାରତ ସରକାର ୟୁକ୍ରେନ ଏବଂ ରୁଷର ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଛନ୍ତି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟ୍ୱିଟ୍ କରି କହିଛନ୍ତି ଯେ ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲା ରୁଷ ଏବଂ ୟୁକ୍ରେନର ରାଷ୍ଟ୍ରଦୂତମାନଙ୍କୁ ସମନ କରି ଖାର୍କିଭରେ ଏବଂ ଅନ୍ୟ ଯୁଦ୍ଧ ପ୍ରଭାବିତ ସହରଗୁଡ଼ିକରେ
ଥିବା ଭାରତୀୟ ନାଗରିକଙ୍କୁ ତୁରନ୍ତ ସୁରକ୍ଷିତ ମାର୍ଗ ପାଇଁ ଆମର ଦାବିକୁ ଦୋହରାଇଛନ୍ତି । ରୁଷ ଏବଂ ୟୁକ୍ରେନରେ ଆମର ରାଷ୍ଟ୍ରଦୂତମାନେ ମଧ୍ୟ ଏ ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି ।

ବାଗଚି ନବୀନଙ୍କ ବିଷୟରେ ଟ୍ୱିଟ୍ କରି କହିଛନ୍ତି, ‘ଆମେ ବହୁତ ଦୁଃଖର ସହ ନିଶ୍ଚିତ କରୁଛୁ ଯେ ଖାର୍କିଭରେ ଆଜି ସକାଳେ ଗୁଳି ବିନିମୟରେ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଛନ୍ତି। ମନ୍ତ୍ରଣାଳୟ ମୃତ ଛାତ୍ରଙ୍କ ପରିବାର ସହିତ ଯୋଗାଯୋଗରେ ଅଛି |

ଖାର୍କିଭରେ ଅବସ୍ଥା ବିଗିଡିଯିବା ଚିନ୍ତାର କାରଣ ବୋଲି ବ ବୈଦେଶିକ ମନ୍ତ୍ରଣାଳୟ କହିଛି। ଖାର୍କିଭରେ ଭାରତୀୟ ନାଗରିକଙ୍କ ସୁରକ୍ଷା ହେଉଛି ସରକାରଙ୍କ ପ୍ରାଥମିକତା। ୟୁକ୍ରେନରେ ଫସି ରହିଥିବା ନାଗରିକଙ୍କ ପ୍ରତ୍ୟାବର୍ତ୍ତନକୁ ନିଶ୍ଚିତ କରିବା ପାଇଁ ଆମେ ଯଥାସମ୍ଭବ ଉଦ୍ୟମ ଜାରି ରଖିବୁ ।