କାଶ୍ମୀର ଉପରେ ହ୍ୟୁଣ୍ଡାଇର ବିବାଦୀୟ ଟ୍ବିଟ୍ ମାମଲାରେ ଭାରତର କଡ଼ା ଆଭିମୁଖ୍ୟ, ଦକ୍ଷିଣ କୋରିଆ ରାଷ୍ଟ୍ରଦୂତଙ୍କୁ ସମନ ଜାରି କରି ପ୍ରତିବାଦ ଜଣାଇଲା | News Room Odisha

କାଶ୍ମୀର ଉପରେ ହ୍ୟୁଣ୍ଡାଇର ବିବାଦୀୟ ଟ୍ବିଟ୍ ମାମଲାରେ ଭାରତର କଡ଼ା ଆଭିମୁଖ୍ୟ, ଦକ୍ଷିଣ କୋରିଆ ରାଷ୍ଟ୍ରଦୂତଙ୍କୁ ସମନ ଜାରି କରି ପ୍ରତିବାଦ ଜଣାଇଲା

ନୂଆଦିଲ୍ଲୀ: କାଶ୍ମୀର ଉପରେ ହ୍ୟୁଣ୍ଡାଇ ପାକିସ୍ତାନର ବିବାଦୀୟ ଟ୍ବିଟ୍ ନେଇ ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରିଛି | ଏହି ପ୍ରସଙ୍ଗରେ ଭାରତ ଆଜି ଦକ୍ଷିଣ କୋରିଆ ରାଷ୍ଟ୍ରଦୂତଙ୍କୁ ସମନ କରି ଦୃଢ଼ ପ୍ରତିବାଦ ଜଣାଇଛି। ହ୍ୟୁଣ୍ଡାଇ କମ୍ପାନୀର ବରିଷ୍ଠ ନେତୃତ୍ୱକୁ ନେଇ ଭାରତ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛି। ଭାରତର କଠୋର ଆଭିମୁଖ୍ୟ ପରେ ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରୀ ତାଙ୍କ ଭାରତୀୟ ପ୍ରତିପକ୍ଷ ଏସ୍ ଜୟଶଙ୍କରଙ୍କୁ ଫୋନ୍ କରି ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରୀ ଚୁଙ୍ଗ ଇଓ-ୟଙ୍ଗ ଆଜି ମୋ ସହ ଫୋନରେ କଥା ହୋଇଛନ୍ତି। ଏହି ଅବସରରେ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ପ୍ରସଙ୍ଗ ସହିତ ହ୍ୟୁଣ୍ଡାଇ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

‘କାଶ୍ମୀର ଏକତା ଦିବସ’କୁ ସମର୍ଥନ କରି ହ୍ୟୁଣ୍ଡାଇର ପାକିସ୍ତାନୀ ଡିଲର୍ ଟ୍ୱିଟର ଆକାଉଣ୍ଟରୁ ଏକ ପୋଷ୍ଟ କରାଯାଇଥିଲା। ଏହି ପୋଷ୍ଟ ପରେ ଟ୍ୱିଟରରେ ‘ବଏକଟ୍ ହ୍ୟୁଣ୍ଡାଇ’ ହ୍ୟାସଟ୍ୟାଗ ଟ୍ରେଣ୍ଡ ହେବାରେ ଲାଗିଥିଲା । ଅନେକ ଲୋକ ହ୍ୟୁଣ୍ଡାଇ କାର୍ ନ କିଣିବାକୁ ସଂକଳ୍ପ କରିଥିଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏପରି ନିବେଦନ କରିଥିଲେ। ଏହା ପରେ ହ୍ୟୁଣ୍ଡାଇ ମୋଟର୍ସ ଇଣ୍ଡିଆ ସୋସିଆଲ ମିଡିଆରେ ଏକ ସ୍ପଷ୍ଟୀକରଣ ଜାରି କରି ସ୍ପଷ୍ଟ କହିଥିଲା ଯେ ଏହା ଭାରତୀୟ ବଜାର ପ୍ରତି ପ୍ରତିବଦ୍ଧ ଏବଂ ଭାରତ ଆମର ଦ୍ବିତୀୟ ଘର ‌।

ଏହାଛଡ଼ା କମ୍ପାନୀ ଆଜି କ୍ଷମା ପ୍ରାର୍ଥନା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ରାଜନ ରାଜନୈତିକ ଏବଂ ଧାର୍ମିକ ପ୍ରସଙ୍ଗରେ ହ୍ୟୁଣ୍ଡାଇ କମ୍ପାନୀ କୌଣସି ମନ୍ତବ୍ୟ ଦେବ ନାହିଁ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ହ୍ୟୁଣ୍ଡାଇ ପାକିସ୍ତାନ ୟୁନିଟ୍ ଦ୍ୱାରା ସେୟାର କରାଯାଇଥିବା ସୋସିଆଲ ମିଡିଆ ପୋଷ୍ଟ ଉପରେ ଦକ୍ଷିଣ କୋରିଆର ରାଷ୍ଟ୍ରଦୂତଙ୍କୁ ଭାରତ ନିଜ ଅସନ୍ତୋଷ ସମ୍ପର୍କରେ ଜଣାଇଛି।