ସୁରକ୍ଷା କାରଣରୁ ଆଉ ୫୪ଟି ଚାଇନିଜ୍ ଆପକୁ ବ୍ୟାନ୍ କରିବେ ସରକାର | News Room Odisha

ସୁରକ୍ଷା କାରଣରୁ ଆଉ ୫୪ଟି ଚାଇନିଜ୍ ଆପକୁ ବ୍ୟାନ୍ କରିବେ ସରକାର

ନୂଆଦିଲ୍ଲୀ: ସୁରକ୍ଷା କାରଣରୁ ସରକାର ଆଉ କିଛି ଚାଇନିଜ୍ ଆପ୍ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରୀ ସୂତ୍ରରୁ ପ୍ରକାଶ ଯେ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ୫୪ଟି ଚାଇନିଜ୍ ଆପକୁ ବ୍ୟାନ୍ କରାଯାଇପାରେ। ଭାରତ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ୨୨୪ ଟି ଚାଇନିଜ୍ ଆପକୁ ନିଷେଧ କରିଛନ୍ତି। ଜୁନ୍ ୨୦୨୦ରେ ଲଦାଖ ସୀମାରେ ଚୀନ୍ ସହିତ ହିଂସାତ୍ମକ ସଂଘର୍ଷର କିଛି ଦିନ ପରେ ଦେଶର ସୁରକ୍ଷା ତଥା ସାର୍ବଭୌମତ୍ୱ ପ୍ରତି ବିପଦ ଥିବା ଦର୍ଶାଇ କେନ୍ଦ୍ର ସରକାର ଅନେକ ଚାଇନିଜ୍ ଆପ୍ ଉପରେ କଟକଣା ଲଗାଇଥିଲେ।

ସୂଚନାନୁସାରେ, ସରକାର ଏବେ ଯେଉଁ ଚାଇନିଜ୍ ଆପ୍ ଗୁଡ଼ିକୁ ବ୍ୟାନର କରିବାକୁ ଯାଉଛନ୍ତି ସେଥିମଧ୍ୟରେ ସେଲଫି ଏଚଡି, ବିୟୁଟି କ୍ୟାମେରା – ସେଲଫି କ୍ୟାମେରା, ଭିଭା ଭିଡିଓ ଏଡିଟର୍, ଟେନ୍ସେଣ୍ଟ କ୍ରାଇଭର, ଅନ୍ମୋୟଜି ଆରେନା, ଆପଲକ୍ ଏବଂ ଡୁଆଲ୍ ସ୍ପେସ୍ ଲାଇଟ୍ ଅନ୍ତର୍ଭୁକ୍ତ। ସର୍ବପ୍ରଥମେ ଜୁନ୍ ୨୦୨୦ରେ କେନ୍ଦ୍ର ସରକାର ୫୯ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତା’ପରେ ସରକାର ଟିକଟକ୍, ୟୁସି ବ୍ରାଉଜର, ଶେୟାରାଇଟ୍, ୱେଚ୍ ଭଳି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଲେ। ପୁଣି ସେହି ବର୍ଷ ସେପ୍ଟେମ୍ବରରେ ଆଉ ୧୧୮ ଟି ଆପ୍ ଉପରେ କଟକଣା ଲଗାଯାଇଥିଲା | ନଭେମ୍ବର ୨୦୨୦ରେ ସରକାର ୪୩ଟି ଚାଇନିଜ୍ ଆପକୁ ବ୍ୟାନ୍ କରିଥିଲେ।

ଏହିସବୁ ଆପ୍ ଜରିଆରେ ତଥ୍ୟ ଚୋରି ଏବଂ ସେଗୁଡିକ ବ୍ୟବହାର ଉପରେ ସରକାର ପ୍ରଶ୍ନ ଉଠାଇଥିଲେ ଏବଂ ଏହି ପରିପ୍ରେକ୍ଷୀରେ ଏହି ଆପ୍ ଗୁଡ଼ିକୁ ଚଳାଉଥିବା କମ୍ପାନୀମାନଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ | କିନ୍ତୁ ଏହି କମ୍ପାନୀଗୁଡିକ ଦେଇଥିବା ଉତ୍ତରରେ ସରକାର ସନ୍ତୁଷ୍ଟ ନଥିଲେ । ଏଥିପାଇଁ ଏହିସବୁ ଆପ୍ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନିଆଯାଇଥିଲା।