୧୯ ବର୍ଷରୁ କମ୍ ବିଶ୍ୱକପ୍‌: ଆଜି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ | News Room Odisha

୧୯ ବର୍ଷରୁ କମ୍ ବିଶ୍ୱକପ୍‌: ଆଜି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ

କୁଲିଜ୍ (ଆଣ୍ଟିଗୁଆ): ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପରେ ଆଜି ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ ଖେଳାଯିବ । ଉଭୟ ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରତିପକ୍ଷ ଟିମ୍ ସହ କରୋନାକୁ ହରାଇ ସେମିରେ ପହଞ୍ଚିଛନ୍ତି ।
କରୋନା ଯୋଗୁଁ ଏହି ମେଗା ଇଭେଣ୍ଟ ପାଇଁ ଭାରତର ପ୍ରସ୍ତୁତି ବାଧାପ୍ରାପ୍ତ ହୋଇଥିଲା । ଗତ ଦୁଇ ବର୍ଷ ଧରି ଭାରତୀୟ ଖେଳାଳିଙ୍କ ପାଇଁ କୌଣସି ଶିବିର ଅନୁଷ୍ଠିତ ହୋଇପାରିନଥିଲା । ଏହାଛଡ଼ା ଦଳ କୌଣସି ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ମଧ୍ୟ ସୁଯୋଗ ପାଇନଥିଲା । କେବଳ ବିଶ୍ୱକପ୍ ପୂର୍ବରୁ ୟୁଏଇରେ ଏସିଆ କପରେ ଖେଳିଥିଲା ଭାରତ । ସୀମିତ ପ୍ରସ୍ତୁତି ସତ୍ତ୍ୱେ ଭାରତ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ଟାଇଟଲରୁ ଦୁଇ ପାଦ ନିକଟରେ ପହଞ୍ଚିଛି ।

ଚାରି ଥରର ଚାମ୍ପିୟନ ଭାରତ ସକାରାତ୍ମକ ଭାବେ ଅଭିଯାନ ଆରମ୍ଭ କରି ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୪୫ ରନରେ ହରାଇଥିଲା । ତେବେ ଏହାପରେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦଳର ବହୁ ଖେଳାଳି କରୋନା ସଂକ୍ରମିିତ ହୋଇଥିଲେ । ଯାହା ଫଳରେ ଦଳ ଉକ୍ତ ମ୍ୟାଚ୍ ପାଇଁ ୧୧ ଜଣ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବାକୁ ସଂଘର୍ଷ କରିଥିଲା । କରୋନା ସଂକ୍ରମିତ ହେବା ଯୋଗୁଁ ଅଧିନାୟକ ୟଶ୍ ଧୂଲଙ୍କ ସମେତ ଭାରତର ପାଞ୍ଚ ଜଣ ଖେଳାଳି ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍ ପାଇଁ ଉପଲବ୍ଧ ହୋଇପାରିନଥିଲେ । ଧୂଲଙ୍କ ସହ ଉପଅଧିନାୟକ ଶେଖ ରସିଦ୍‌, ଆରାଧ୍ୟା ଯାଦବ, ମାନବ ପ୍ରକାଶ ଓ ସିଦ୍ଧାର୍ଥ ଯାଦବ ଉଗାଣ୍ଡା ବିପକ୍ଷ ତୃତୀୟ ମ୍ୟାଚରୁ ବି ବଞ୍ଚିତ ହୋଇଥିଲେ । ଫଳରେ ବାଧ୍ୟ ହୋଇ ବିସିସିଆଇ ରିଜର୍ଭ ଖେଳାଳିଙ୍କୁ ୱେଷ୍ଟଇଣ୍ଡିଜ୍ ପଠାଇଥିଲା ।

ଉଗାଣ୍ଡା ବିପକ୍ଷ ମ୍ୟାଚରେ ଭାରତୀୟ ଦଳରେ ୬ ଜଣ ରିଜର୍ଭ ଖେଳାଳିଙ୍କୁ ସାମିଲ କରାଯାଇଥିଲା । କରୋନା ସଙ୍କଟ ସତ୍ତ୍ୱେ ଭାରତର ମନୋବଳ ଆଦୌ ଦୁର୍ବଳ ହୋଇନଥିଲା । ଏକ ରିଜର୍ଭ ଦଳ ସହ ଖେଳି ଆୟର୍ଲାଣ୍ଡ ଓ ଉଗାଣ୍ଡାକୁ ହରାଇଥିଲା ଭାରତ । ଏହାପରେ ଭାରତ କ୍ୱାର୍ଟର ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ବାଂଲାଦେଶକୁ ଭେଟିଥିଲା । ଏହି ଲୋ ସ୍କୋରିଂ ମ୍ୟାଚରେ ବାଂଲାଦେଶକୁ ୫ ୱିକେଟରେ ହରାଇ ଭାରତ ୨୦୨୦ ସଂସ୍କରଣରେ ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେବା ସହ ସେମିକୁ ଉନ୍ନୀତ ହୋଇଥିଲା ।

କରେନା କବଳିତ ସବୁ ଖେଳାଳି ସୁସ୍ଥ ହୋଇଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ପାଇଁ ଭାରତ ନିଜ ଶକ୍ତିଶାଳୀ ଦଳ ସହ ପଡ଼ିଆକୁ ଓହ୍ଲାଇବ । ଭାରତ ପାଇଁ ଆଉ ଏକ ଭଲ ଖବର ହେଲା ବ୍ୟାଟ୍ସମ୍ୟାନ୍ ନିଶାନ୍ତ ସିନ୍ଧୁ ମଧ୍ୟ କରୋନାରୁ ସୁସ୍ଥ ହୋଇଯାଇଛନ୍ତି । ସେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପାଇଁ ଉପଲବ୍ଧ ଅଛନ୍ତି ।

ସେମିରେ ଭାରତକୁ ଅଷ୍ଟ୍ରେଲିଆ ଠାରୁ କଡ଼ା ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ । ବିଶେଷକରି ମ୍ୟାଚ୍ ଫିନିଶ୍ କରିବାରେ ଭାରତକୁ ଆହୁରି ସୁଧାର ଆଣିବାକୁ ପଡ଼ିବ । ବାଂଲାଦେଶ ବିପକ୍ଷ ମ୍ୟାଚରେ ୧୧୧ ରନର ମାମୁଲି ଟାର୍ଗେଟର ପିଛା କଲାବେଳେ ଭାରତ ସଂଘର୍ଷ କରିଥିଲା । ଏହି ଦିଗ ପ୍ରତି ଦଳକୁ ଧ୍ୟାନ ଦେବାକୁ ହେବ । ଭାରତ କ୍ରମାଗତ ଚତୁର୍ଥ ଥର ପାଇଁ ବିଶ୍ୱକପ ସେମିଫାଇନାଲକୁ ଉନ୍ନୀତ ହୋଇଛି ।