ଟି୨୦ ବିଶ୍ୱକପ: ଆଜି ବାଂଲାଦେଶକୁ ଭେଟିବ ଭାରତ | News Room Odisha

ଟି୨୦ ବିଶ୍ୱକପ: ଆଜି ବାଂଲାଦେଶକୁ ଭେଟିବ ଭାରତ

ଆଡିଲେଡ୍‌: ଭାରତ ଟି୨୦ ବିଶ୍ୱକପରେ ବୁଧବାର ବାଂଲାଦେଶକୁ ଭେଟିବ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ବ୍ୟାଟିଂ ବିଫଳତା ପରେ ଭାରତ ଏହି ବିଭାଗରେ ନିଜ ତ୍ରୁଟି ସୁଧାରି ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ରହିବ । ଟପ୍ ଅର୍ଡରରେ ରିଷଭ ପନ୍ତଙ୍କୁ ଖେଳାଇବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । କିନ୍ତୁ ଭାରତ ଏହି ମ୍ୟାଚରେ ମଧ୍ୟ ଫର୍ମ ପାଇଁ ସଂଘର୍ଷ କରୁଥିବା କେଏଲ ରାହୁଲଙ୍କୁ ବଜାୟ ରଖିବା ସମ୍ଭାବନା ରହିଛି । କୌଣସି ଫର୍ମାଟରେ ବାଂଲାଦେଶକୁ ହାଲକାରେ ନେବା ଭୁଲ ହେବ । ବାଂଲାଦେଶ ବିପର୍ଯ୍ୟୟ ଘଟାଇବାରେ ସମର୍ଥ । କିନ୍ତୁ ରୋହିତଙ୍କ ଟିମ୍ ଏହି ମ୍ୟାଚ୍ ପାଇଁ ଫେଭରିଟ୍ ରହିବ ।

ପର୍ଥର ବାଉନ୍ସି ପିଚରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପେସ୍ ଆକ୍ରମଣରେ ଭାରତର ତାରକା ଖଚିତ ବ୍ୟାଟିଂ ଲାଇନ୍ ଅପ୍ ଯେଉଁଭଳି ସଂଘର୍ଷ କରିଥିଲା, ତାହା ନିଶ୍ଚିତ ଭାବେ ଟିମ୍ ମ୍ୟାନେଜମେଣ୍ଟ ବିଶେଷକରି କୋଚ୍ ରହୁଲ ଦ୍ରାବିଡଙ୍କ ପାଇଁ ଚିନ୍ତାର କାରଣ ହୋଇଥିବ । ରାହୁଲଙ୍କ ପ୍ରଦର୍ଶନ ଭାରତୀୟ ଦଳ ପାଇଁ ମୁଣ୍ଡବ୍ୟଥା ସାଜିଛି । ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ଭଳି ଟିମ୍ ବିପକ୍ଷରେ ଫ୍ଲପ୍ ଶୋ’ ପରେ ତାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି । ବିଶେଷକରି ବଡ଼ ମ୍ୟାଚ୍ ଗୁଡ଼ିକରେ ଓ ଉନ୍ନତ ବୋଲିଂ ଆକ୍ରମଣ ବିପକ୍ଷରେ ତାଙ୍କର ଧୈର୍ଯ୍ୟ ଓ ଟେକନିକକୁ ନେଇ ବିଶେଷଜ୍ଞ ଓ ପ୍ରଶଂସକ ପ୍ରଶ୍ନ ଉଠାଇଛନ୍ତି । ଚଳିତ ବିଶ୍ୱକପର ତିନୋଟି ମ୍ୟାଚରୁ ରାହୁଲ ମାତ୍ର ୨୨ ରନ୍ କରିଛନ୍ତି । ଏହା ସତ୍ତ୍ୱେ ତାଙ୍କ ଉପରେ କୋଚ୍ ଦ୍ରାବିଡ୍ ଭରସା ପ୍ରକଟ କରିଛନ୍ତି । ବାଂଲାଦେଶ ବିପକ୍ଷରେ ମଧ୍ୟ ସେ ଓପନର ଭାବେ ଖେଳିବା ନିଶ୍ଚିତ ।
ବାଂଲାଦେଶ ପାଖରେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ଭଳି ଶକ୍ତିଶାଳୀ ବୋଲିଂ ଲାଇନ୍ ଅପ୍ ନଥିବା ବେଳେ ଫର୍ମ ଫେରିପାଇବାକୁ ରାହୁଲଙ୍କ ପାଇଁ ଏହି ମ୍ୟାଚ୍ ଏକ ସୁଯୋଗ । ମୁସ୍ତାଫିଜୁର ରହମାନ, ତସ୍କିନ ଅହମ୍ମଦ, ମେହେଦି ହସନ୍ ମିରାଜ, ଅଧିନାୟକ ସାକିବ୍ ଅଲ ହସନ୍ ଓ ହସନ ମାହମୁଦଙ୍କୁ ନେଇ ବାଂଲଦେଶର ବୋଲିଂ ଲାଇନ୍ ଅପ୍ ସେଭଳି ବିପଜ୍ଜନକ ନୁହେଁ ।

ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ପକ୍ଷରୁ କେବଳ ଦୁଇ ବ୍ୟାଟର ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ଆଶାନୁରୂପ ପ୍ରଦର୍ଶନ କରିଛନ୍ତି । ଅଧିନାୟକ ରୋହିତ ଶର୍ମା ନେଦରଲାଣ୍ଡ୍‌ସ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ । କିନ୍ତୁ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫେଲ୍ ମାରିଥିଲେ । ତେବେ ଚୂଡାନ୍ତ ଏକାଦଶରୁ ପନ୍ତଙ୍କୁ ଦୂରେଇ ରଖିବା ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୂର୍ଯ୍ୟକୁମାରଙ୍କ ସହ ପନ୍ତ ହେଉଛନ୍ତି ଭାରତର ଦୁଇ ବ୍ୟାଟ୍ସମ୍ୟାନ୍ ଯାହାଙ୍କ ପାଖରେ ‘ଏକ୍ସ ଫ୍ୟାକ୍ଟର’ ରହିଛି । ଦିନେଶ କାର୍ତ୍ତିକଙ୍କ ପିଠି ଯନ୍ତ୍ରଣା ଭାରତୀୟ ଦଳ ପାଇଁ ବରଦାନ ସାବ୍ୟସ୍ତ ହୋଇପାରେ । ଏହା ପନ୍ତଙ୍କୁ ଚଳିତ ବିଶ୍ୱକପରେ ପ୍ରଥମ ମ୍ୟାଚ୍ ଖେଳିବାକୁ ସୁଯୋଗ ଦେଇପାରେ ।
ବାଂଲାଦେଶ ବ୍ୟାଟିଂ ଲାଇନ୍ ଅପରେ ୪ ଜଣ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଛନ୍ତି । ଅଧିନାୟକ ସାକିବଙ୍କ ସମେତ ଓପନର ସୌମ୍ୟ ସରକାର, ନାଜମୁଲ ହୁସେନ୍ ଓ ଆଫିଫ୍ ହୁସେନ୍ ହେଉଛନ୍ତି ବାମହାତୀ ବ୍ୟାଟ୍ସମ୍ୟାନ୍ । ଏଭଳି ସ୍ଥଳେ ଭାରତ ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ବଜାୟ ରଖିବ ନା ଅକ୍ଷର ପଟେଲଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ଦେବ ଦେଖିବାକୁ ରହିଲା । ଦକ୍ଷିଣ ଆଫ୍ରିକା ବିପକ୍ଷ ଗତ ମ୍ୟାଚରେ ଅଶ୍ୱିନଙ୍କୁ ନିର୍ଧୁମ ପ୍ରହାର କରିଥିଲେ ଡେଭିଡ୍ ମିଲର ।

ବାଂଲାଦେଶ ବ୍ୟାଟିଂ ଲାଇନ୍ ଅପ୍ ଭାରତର ପେସ୍ ଆକ୍ରମଣକୁ ସେଭଳି ଚ୍ୟାଲେଞ୍ଜ ଦେଇନପାରେ । କାରଣ ଭୁବନେଶ୍ୱର କୁମାର, ଅଶର୍ଦୀପ ସିଂହ ଓ ମହମ୍ମଦ ଶାମି ଭଲ ଫର୍ମରେ ଅଛନ୍ତି ଓ ବାଂଲାଦେଶର ସଂଘର୍ଷରତ ବ୍ୟାଟିଂ ଲାଇନ୍ ଅପକୁ ଧରାଶାୟୀ କରିପାରନ୍ତି । ବାଂଲାଦେଶର ବ୍ୟାଟିଂ ନେଦରଲାଣ୍ଡ୍‌ସ ଓ ଜିମ୍ବାୱେ ଭଳି ଅପେକ୍ଷାକୃତ ଦୁର୍ବଳ ବୋଲିଂ ଆକ୍ରମର ବିପକ୍ଷରେ ମଧ୍ୟ ସଂଘର୍ଷ କରିଥିଲେ।

ଆଡିଲେଡରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଯେଉଁ ଦଳ ଟସ୍ ଜିତିବ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇପାରେ । କାରଣ ସନ୍ଧ୍ୟାରେ ଏହି ଟ୍ରାକରେ ବଲ୍ ସୁଇଙ୍ଗ୍ ହେବା ସମ୍ଭାବନା ରହିିଛି । ଭାରତ ପାଖରେ ତିନି ସୁଇଙ୍ଗ୍ ବୋଲର ରହିଥିବା ବେଳେ କ୍ୟାପଟେନ ରୋହିତ ଟସ୍ ଜିତିଲେ ପ୍ରଥମେ ବୋଲିଂ କରିବାକୁ କୁଣ୍ଠାବୋଧ କରିବେ ନାହିଁ । ଭାରତ ଏହି ମ୍ୟାଚ୍ ଜିତି ସେମିଫାଇନାଲର ନିକଟତର ହେବାକୁ ଚାହିଁବ ।