ଏସିଆ କପ୍: ଆଜି ଶ୍ରୀଲଙ୍କାକୁ ଭେଟିବ ଭାରତ, ରୋହିତଙ୍କ ଟିମ୍ ପାଇଁ କର ବା ମର ସ୍ଥିତି | News Room Odisha

ଏସିଆ କପ୍: ଆଜି ଶ୍ରୀଲଙ୍କାକୁ ଭେଟିବ ଭାରତ, ରୋହିତଙ୍କ ଟିମ୍ ପାଇଁ କର ବା ମର ସ୍ଥିତି

ଦୁବାଇ:ଏସିଆ କପ୍ ସୁପର-୪ ପର୍ଯ୍ୟାୟର ଦ୍ବିତୀୟ ମ୍ୟାଚରେ ଆଜି ଭାରତର ମୁକାବିଲା ଶ୍ରୀଲଙ୍କା ସହ ହେବ।ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ଠାରୁ ହାରିବା ପରେ ଏହି ମ୍ୟାଚରେ ଭାରତ କର ବା ମର ସ୍ଥିତିର ସମ୍ମୁଖୀନ ହେବ ।

ରବିବାର ଦିନ ଖେଳାଯିବାକୁ ଥିବା ଫାଇନାଲକୁ ଉଠିବାକୁ ହେଲେ ଭାରତକୁ ଏହି ମ୍ୟାଚରେ ନିଶ୍ଚିତ ଜିତିବାକୁ ପଡିବ।
ଭାରତକୁ ଏଥିପାଇଁ ବୋଲିଂ ପ୍ରତି ଧ୍ୟାନ ଦେବା ସହିତ ଅତ୍ୟଧିକ ପରୀକ୍ଷଣ ନକରିବା ଭଲ ହେବ।

ରବୀନ୍ଦ୍ର ଜାଡେଜା, ହର୍ଷଲ ପଟେଲ ଓ ଜଶପ୍ରୀତ ବୁମରାଙ୍କ ଭଳି ବୋଲ ଦଳରେ ନଥିବା ବେଳେ ବୋଲିଂ ନେଇ ଭାରତ ନିକଟରେ ଅଧିକ ବିକଳ୍ପ ନାହିଁ। ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ୫ ଜଣ ବୋଲରଙ୍କୁ ନେଇ ଖେଳିଥିଲେ
ମଧ୍ୟ ଆଶାନୁରୂପ ଫଳାଫଳ ମିଳିନଥିଲା। ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚରେ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିବା ବେଳେ ଚହଲଏସିଆ କପରେ ବର୍ତ୍ତମାନ ସୁଦ୍ଧା ଆଖିଦୃଶିଆ ପ୍ରଦର୍ଶନ କରିପାରିନାହାନ୍ତି। ଏଥିପାଇଁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ପାଇଁ ଭାରତକୁ ବୋଲିଂ ବିଭାଗ ପ୍ରତି ବିଶେଷ ଭାବେ ଧ୍ୟାନ ଦେବାକୁ ପଡିବ ବୋଲି କୁହାଯାଇଛି। ଅକ୍ଷର ପଟେଲ, ଅଭେସ ଖାନ ଉପରେ ଦଳ ନିର୍ଭର କରିବା ସମ୍ଭାବନା ରହିଛି ।

ଅପରପକ୍ଷରେ କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି ଶ୍ରେଷ୍ଠ ଏକାଦଶ ଖେଳାଳିଙ୍କୁ ନେଇ ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇବ ଓ ମ୍ୟାଚରେ ବିଭିନ୍ନ ପରୀକ୍ଷଣ ଜାରି ରହିବ। ପାକିସ୍ତାନ ବିପକ୍ଷ ମ୍ୟାଚରେ ଟପ୍ ଅର୍ଡର ବ୍ୟାଟିଂ ଲାଇନ ସଫଳ ହେବା ଦଳ କର୍ତ୍ତୃପକ୍ଷଙ୍କୁ ଆଶ୍ୱସ୍ତି ଦେଇଛି। ଓରୋହିତ ଶର୍ମା, କେଏଲ ରାହୁଲ ଓ ବିରାଟ କୋହଲି ଭଲ ବ୍ୟାଟିଂ କରିଛନ୍ତି। ଅନ୍ୟପକ୍ଷରେ ଆଫଗାନିସ୍ତାନ ବିପକ୍ଷ ଚମତ୍କାର ବିଜୟ ପରେ ଶ୍ରୀଲଙ୍କାର ମନୋବଳ ଦୃଢ଼ ରହିଛି । ଦଳ ଭାରତ ବିପକ୍ଷରେ ମଧ୍ୟ ଜୟଯାତ୍ରା ଜାରି ରଖିବାକୁ ଚାହିଁବ । ଅଧିନାୟକ ଦାସୁନ ଶନକା ଦଳ ଉପରେ ଅଧିକ ଆଶାବାଦୀ ରହିଛନ୍ତି।

ଭାରତ ଯଦି ଏହି ମ୍ୟାଚରେ ପରାସ୍ତହୁଏ ତେବେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବ। ଭାରତକୁ ଫାଇନାଲରେ ପହଞ୍ଚିବାକୁ ହେଲେ ନିଜର ପରବର୍ତ୍ତୀ ଦୁଇଟି ମୁକାବିଲାରେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନକୁ ହରାଇବାକୁ ପଡିବ। ହେଲେ ପାକିସ୍ତାନ ମ୍ୟାଚରେ ଦଳ ଯେଉିଁ ଭୁଲ୍‌ କରିଛି ଭାରତ ତାକୁ ଦୋହରାଇଲେ ଫାଇନାଲରେ ପହଞ୍ଚିବା ମୁସ୍କିଲ ହୋଇ ପଡିବ ।