ଆଜି ଶ୍ରୀଲଙ୍କାକୁ ଭେଟିବ ଭାରତ, ଲକ୍ଷ୍ୟ ସେମିଫାଇନାଲ | News Room Odisha

ଆଜି ଶ୍ରୀଲଙ୍କାକୁ ଭେଟିବ ଭାରତ, ଲକ୍ଷ୍ୟ ସେମିଫାଇନାଲ

ମୁମ୍ବାଇ: ଦିନିକିଆ ବିଶ୍ବକପ୍‌ରେ ଭାରତ ଗୁରୁବାର ଏହାର ୭ମ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ । ଐତିହାସିକ ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍। ପୂର୍ବ ମ୍ୟାଚଗୁଡ଼ିକରେ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ହରାଇ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଭାବେ ଅପରାଜେୟ ରହିଛି ଭାରତ । ଶ୍ରୀଲଙ୍କା ବିପକ୍ଷରେ ବି ଏହି ଧାରା ବଜାୟ ରଖି ଟିମ୍ ଇଣ୍ଡିଆ ସେମିଫାଇନାଲରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିବ । ଅନ୍ୟପକ୍ଷରେ ଶ୍ରୀଲଙ୍କା ହାରିଲେ ଦଳର ସେମିଫାଇନାଲ ରାସ୍ତା ବନ୍ଦ ହୋଇଯିବ ।

ଓ୍ବାଙ୍ଖେଡେ ଷ୍ଟାଡିୟମରେ ହିଁ ଭାରତ ୨୦୧୧ ବିଶ୍ୱକପ୍ ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଚାମ୍ପିୟନ ହୋଇଥିଲା । ଶେଷଥର ପାଇଁ ୨୦୧୯ ବିଶ୍ବକପ୍‌ରେ ଉଭୟ ଦଳ ମୁହାଁମୁହିଁ ହୋଇଥିବା ବେଳେ ଭାରତ ବାଜି ମାରିଥିଲା। ଏଥର ବି ଫର୍ମ ଦୃଷ୍ଟିରୁ ଭାରତ ଫେଭରିଟ୍ ବିବେଚିତ ହୋଇଛି। ତେବେ ଅତ୍ୟଧିକ ଆତ୍ମବିଶ୍ବାସ ଦଳକୁ କ୍ଷତି ପହଞ୍ଚାଇପାରେ ବୋଲି ମଧ୍ୟ ଭାରତୀୟ ଦଳକୁ ମନେ ରଖୁବାକୁ ହେବ। ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଦଳ ଏକଦା ୨ ରନ ମଧ୍ୟରେ ୩ ଓ୍ବିକେଟ୍ ହରାଇ ବିପର୍ଯ୍ୟୟରେ ପଡ଼ିଥିଲା। ସେହିପରି ଲକ୍ଷ୍ନୌରେ ଇଂଲଣ୍ଡ ବିପକ୍ଷରେ ଦଳୀୟ ଇନିଂସ ୨୨୯/୯ରେ ଶେଷ ହୋଇ ଯାଇଥିଲା। ହାର୍ଦ୍ଦିକ ପାଣ୍ଡଙ୍କ ଅନୁପସ୍ଥିତିରେ ଦଳ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ପାଇଁ ଗୁରୁତ୍ଵପୂର୍ଣ୍ଣ ହୋଇ ପଡ଼ିଛି।