ଆଜି ବିଶ୍ୱକପରେ ଆଫଗାନିସ୍ତାନକୁ‌ ଭେଟିବ ଭାରତ | News Room Odisha

ଆଜି ବିଶ୍ୱକପରେ ଆଫଗାନିସ୍ତାନକୁ‌ ଭେଟିବ ଭାରତ

ନୂଆଦିଲ୍ଲୀ: ପ୍ରଥମ ମ୍ୟାଚ୍‌ରେ ପ୍ରାରମ୍ଭିକ ଚାପର ସମ୍ମୁଖୀନ ହୋଇଥିବା ଭାରତୀୟ ଦଳ ରବିବାର ଏଠାରେ ବିଶ୍ୱକପ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ଭେଟିବ। ବିଜୟ ଧାରା ଜାରି ରଖିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଭାରତ।

ଚଳିତ ବିଶ୍ୱକପରେ ୯ଟି ଭିନ୍ନ ଭେନ୍ୟୁର ଭିନ୍ନ ଭିନ୍ନ ପରିବେଶ ସହ ଖାପ ଖୁଆଇବା ଭାରତ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କ୍ୟାପଟେନ ରୋହିତ ଶର୍ମା କହିଛନ୍ତି ।

ଚେପକ୍ ଠାରେ ଏକ ମନ୍ଥର ଓ ସ୍ପିନରଙ୍କୁ ସୁହାଉଥିବା ୱିକେଟ୍ ପରେ ବର୍ତ୍ତମାନ ଭାରତ ଫିରୋଜ ଶାହ କୋଟଲାରେ ଖେଳିବ, ଯେଉଁଠି ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୭୦୦ରୁ ଅଧିକ ରନ୍ ସ୍କୋର ହୋଇଥିଲା |

ଡେଙ୍ଗୁରେ ଆକ୍ରାନ୍ତ ଶୁଭମାନ ଗିଲ୍ ଏହି ମ୍ୟାଚ୍ ଖେଳିବେ ନାହିଁ । ତେଣୁ ରୋହିତଙ୍କ ସହ ଇନିଂସ୍ ଓପନ୍ କରିବାକୁ ଇଶାନ କିଶନଙ୍କୁ ପୁଣି ସୁଯୋଗ ମିଳିବ।

ଅଷ୍ଟ୍ରେଲିଆ ବିପକ୍ଷରେ କିଶାନ୍ ଏବଂ ଶ୍ରେୟସ୍ ଆୟର ଖରାପ ସଟ୍ ଖେଳି ଆଉଟ୍ ହୋଇଥିଲେ । ଯଦ୍ବାରା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏଥର ସେମାନଙ୍କୁ ଏହି ଭୁଲ୍ ସୁଧାରିବାକୁ ପଡ଼ିବ ।

ଗିଲ୍ ଯଦି ତିନି ଦିନ ପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପାଇଁ ସୁସ୍ଥ ନ ହୁଅନ୍ତି, ତେବେ ଇଶାନ୍ ଏହି ବଡ଼ ମ୍ୟାଚ୍‌ରେ ଇନିଂସ ଓପନ୍ ସୁଯୋଗ ପାଇପାରନ୍ତି।

ଆଫଗାନିସ୍ତାନ ବୋଲିଂ ଆକ୍ରମଣର ସାମ୍ନା କରିବା ଭାରତ ପାଇଁ କଷ୍ଟସାଧ୍ୟ ହେବ ନାହିଁ । କାରଣ ଆଫଗାନିସ୍ତାନ ପାଖରେ ମିଚେଲ ଷ୍ଟାର୍କ ଓ ଜୋଶ ହାଜଲେଉଡଙ୍କ ଭଳି ବୋଲର ନାହାଁନ୍ତି। ଏହାଛଡ଼ା ଫିରୋଜ ଶାହ କୋଟଲା ଭଳି ଛୋଟ ଗ୍ରାଉଣ୍ଡରେ ଚୌକା ଓ ଛକା ବର୍ଷିବା ସମ୍ଭାବନା ଅଧିକ‌‌।

ବିଶ୍ୱକପ ପାଇଁ ଫିରୋଜ ଶାହ କୋଟଲାରେ ନୂଆ ପିଚ୍ ପ୍ରସ୍ତୁତ କରାଯାଇଛି, ଯେଉଁ କାରଣରୁ ଏହାର ସ୍ବଭାବ ମଧ୍ୟ ବଦଳିଛି | ଏହି ମ୍ୟାଚ୍ ବିରାଟ କୋହଲିଙ୍କ ହୋମ୍ ଟାଉନରେ ହେଉଥିବା ବେଳେ ସେ ଚେନ୍ନାଇ ପ୍ରଦର୍ଶନକୁ ଏଠାରେ ବି ଦୋହରାଇବାକୁ ଚାହିଁବେ । ତାଙ୍କ ନାମରେ ନାମିତ ପାଭିଲିୟନ ସାମ୍ନାରେ ଖେଳି ପ୍ରଶଂସକଙ୍କୁ ଏକ ସ୍ମରଣୀୟ ମ୍ୟାଚ୍ ଦେବାକୁ ବ୍ୟାକୁଳ ହେବେ ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍।

ଗତ ମାସରେ ଏସିଆ କପ୍ ପରଠାରୁ ରାହୁଲ ଭଲ ପ୍ରଦର୍ଶନ କରିଛନ୍ତି। ସମାଲୋଚନା ସତ୍ତ୍ୱେ ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ଉପରେ ବିଶ୍ୱାସ ରଖିଥିଲା, ଯାହାକୁ ଯଥାର୍ଥ ସାବ୍ୟସ୍ତ କରିଛନ୍ତି ରାହୁଲ୍ ।

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବୋଲିଂ କମ୍ବିନେସନ ଭଲ ଥିଲା। ମଝି ଓଭର ଗୁଡ଼ିକରେ ଭାରତ ୬ଟି ୱିକେଟ୍ ନେଇଥିଲା। ଯଦି ଆଫଗାନିସ୍ତାନ ବିପକ୍ଷରେ ଭାରତ ତିନି ସ୍ପିନରଙ୍କ ସହ ନ ଯାଏ, ତେବେ ଚୂଡ଼ାନ୍ତ ଏକାଦଶରେ ଅଶ୍ଵିନଙ୍କ ସ୍ଥାନ ନେଇପାରନ୍ତି ମହମ୍ମଦ ସାମି ।

ଅନ୍ୟପକ୍ଷରେ ବାଂଲାଦେଶ ଠାରୁ ହାରିବା ପରେ ଆଫଗାନିସ୍ତାନ ଦଳ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିବ। ଆଫଗାନିସ୍ତାନର ବଳ‌ ହେଉଛି ଏହାର ସ୍ପିନ୍ ଆକ୍ରମଣ । କିନ୍ତୁ ବ୍ୟାଟ୍ସମ୍ୟାନଙ୍କୁ ବଡ଼ ସ୍କୋର କରିବାକୁ ପଡିବ।

କେବଳ ଓପନିଂ ବ୍ୟାଟ୍ସମ୍ୟାନ୍ ରହମାନୁଲ୍ଲା ଗୁରୁବାଜ ଫର୍ମରେ ଥିବା ଭଳି ଜଣାପଡୁଛିନ୍ତି । ବାଂଲାଦେଶ ବିପକ୍ଷରେ ପୂରା ଦଳ ମାତ୍ର ୧୫୬ ରନ୍ କରି ଅଲ୍ଆଉଟ୍ ହୋଇଥିଲା ।

ଭାରତ: ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ମହମ୍ମଦ ସାମି, ସୂର୍ଯ୍ୟକୁମାର ଯାଦବ, ଶୁଭମାନ ଗିଲ୍।

ଆଫଗାନିସ୍ତାନ: ହାଶମୁତୁଲ୍ଲା ସାହିଦୀ, ରହମାନୁଲ୍ଲା ଗୁରବାଜ, ଇବ୍ରାହିମ ଜାଦ୍ରାନ, ରିଆଜ ହାସନ, ରହମତ୍ ଶାହା, ନଜିବୁଲ୍ଲା ଜାଦ୍ରାନ୍, ମହମ୍ମଦ ନବୀ, ଇକ୍ରାମ ଅଲିଖିଲ, ଆଜମୁତୁଲ୍ଲା ଉମରଜାଇ, ରସିଦ ଖାନ, ମୁଜିବ ଉର ରେହମାନ, ନୁର ଅହମ୍ମଦ, ଫଜଲହାକ ଅବଦୁଲ ଫାରୁକ୍।

ମ୍ୟାଚ୍ ସମୟ: ଅପରାହ୍ନ ୨ଟା