ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ, ରେକର୍ଡ ସୁଧାରିବାକୁ ସୂର୍ଯ୍ୟକୁମାରଙ୍କୁ ସୁଯୋଗ | News Room Odisha

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ, ରେକର୍ଡ ସୁଧାରିବାକୁ ସୂର୍ଯ୍ୟକୁମାରଙ୍କୁ ସୁଯୋଗ

ବ୍ରିଜଟାଉନ୍‌: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଦିନିକିଆ ଗୁରୁବାର ଏଠାରେ ଖେଳାଯିବ । ବିଶ୍ୱକପକୁ ଆଉ ୪ ମାସ ବାକି ରହିଥିବା ବେଳେ ଭାରତ ନିଜ ଚୂଡାନ୍ତ ଦଳର ରୂପରେଖ ସ୍ଥିର କରିବା ପାଇଁ ଏହି ସିରିଜରେ ସୁଯୋଗ ପାଇବ । ଟି୨୦ ସ୍ପେଶାଲିଷ୍ଟ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ମଧ୍ୟ ନିଜ ଦିନିକିଆ ରେକର୍ଡ ସୁଧାରିବାକୁ ଏହି ସିରିଜ୍ ଏକ ସୁଯୋଗ ହୋଇଥିବା ବେଳେ ୱିକେଟକିପର ସ୍ଲଟ୍ ପାଇଁ ସଞ୍ଜୁ ସାମସନ୍ ଓ ଇଶାନ କିଶନଙ୍କ ମଧ୍ୟରେ ପ୍ରତିଯୋଗିତା ହେବ।

ଅକ୍ଟୋବର-ନଭେମ୍ବରରେ ବିଶ୍ୱକପ ପୂର୍ବରୁ ଭାରତ ଏସିଆ କପ୍ ଖେଳିବ । ଏସିଆ କପ୍ ପାଇଁ ଚୂଡାନ୍ତ ଦଳ ବାଛିବା ପାଇଁ ଏହି ସିରିଜ୍ ଟିମ୍ ଇଣ୍ଡିଆ ପାଇଁ ଏକ ପ୍ଲାଟଫର୍ମ ହେବ । ସୂର୍ଯ୍ୟକୁମାର ଯାଦବ ନିଜ ଟି୨୦ ପ୍ରଦର୍ଶନକୁ ଦିନିକିଆରେ ଦୋହରାଇବାରେ ବିଫଳ ହୋଇଛନ୍ତି । ଆହତ ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ବ୍ୟାଟିଂ କ୍ରମର ଚତୁର୍ଥ ସ୍ଥାନ ପାଇଁ ଦାବିଦାରୀ ଉପସ୍ଥାପନ କରିବାକୁ ତାଙ୍କ ପାଖରେ ସୁଯୋଗ ରହିଛି । ଯଦିଓ ଅଷ୍ଟ୍ରେଲିଆ ବିପକ୍ଷ ଗତ ସିରିଜରେ ସେ କ୍ରମାଗତ ତୃତୀୟ ଥର ପ୍ରଥମ ବଲରେ ଡକ୍ ଆଉଟ୍ ହୋଇ ଅଲୋଡ଼ା ରେକର୍ଡ କରିଥିଲେ, ସେ ପ୍ରଥମ ଦିନିକିଆ ପାଇଁ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ରହିଛି ।

ଜଂଘରେ ଅସ୍ତ୍ରୋପଚାର ପରେ ସମ୍ପ୍ରତି ରିହାବ୍ କରୁଥିବା କେଏଲ୍ ରାହୁଲ ଆକ୍ସନକୁ ଫେରିଲେ ୱିକେଟକିପର ସ୍ଥାନ ପାଇଁ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟର ପ୍ରଥମ ପସନ୍ଦ ହେବେ । ତାଙ୍କ ଅନୁପସ୍ଥିତିରେ ଓ ରିଷଭ ପନ୍ତ ବିଶ୍ୱକପ ପାଇଁ ଉପଲବ୍ଧ ହେବା ସମ୍ଭାବନା କ୍ଷୀଣ ରହିଥିବା ବେଳେ ୱିକେଟକିପର ସ୍ଲଟ୍ ପାଇଁ ସାମସନ ଓ କିଶନ ଦାବିଦାରୀ ଭାବେ ଉଭା ହୋଇଛନ୍ତି ।

ଭାରତୀୟ ଦଳରୁ ଲଗାତାର ଇନ୍‌-ଆଉଟ୍ ହେଉଥିବା ସାମସନ ତାଙ୍କର ଏହି ପ୍ରତ୍ୟାବର୍ତ୍ତନ ସିରିଜରେ ନିଜ ଚମକ ଦେଖାଇବାକୁ ଚାହିଁବେ । ସେ ଏଯାବତ ୧୧ଟି ଅନ୍ତର୍ଜାତୀୟ ଦିନିକିଆ ଖେଳିଥିବା ବେଳେ ୬୭ ଆଭରେଜରେ ରନ୍ କରିଛନ୍ତି । କିଶନ ପୂର୍ବରୁ ଏହି ଫର୍ମାଟରେ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି ଓ ଟେଷ୍ଟ ସିରିଜରେ ମଧ୍ୟ ସେ ଖେଳିଥିଲେ । ଏଭଳି ସ୍ଥଳେ କିଶନ ପ୍ରଥମ ଦିନିକିଆରେ ଖେଳିବା ସମ୍ଭାବନା ଅଧିକ । ଯଦି କିଶନ ୱିକେଟକିପର ଭାବେ ଖେଳନ୍ତି ତେବେ ମିଡିଲ ଅର୍ଡର ସ୍ଲଟ୍ ପାଇଁ ସାମସନ୍ ଓ ସୂର୍ଯ୍ୟକୁମାରଙ୍କ ମଧ୍ୟରୁ ଜଣେ ସୁଯୋଗ ପାଇବେ ।
ଅଧିନାୟକ ରୋହିତ ଶର୍ମାଙ୍କ ସହ ଶୁଭମାନ ଗିଲ୍ ଇନିଂସ୍ ଓପନ୍ କରିବାକୁ ଥିବାବେଳେ ଋତୁରାଜ ଗାଏକ୍ୱାଡ୍ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା କମ୍ ।

ଆଇପିଏଲ୍ ପରଠୁ କୌଣସି ପ୍ରତିଯୋଗିତା ମୂଳକ କ୍ରିକେଟ୍ ଖେଳିନଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଗରେ ବ୍ୟସ୍ତବହୂଳ କାଯ୍ୟସୂଚୀ ରହିଛି । ଦିନିକିଆ ସିରିଜ୍ ପରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଖେଳାଯିବ ଓ ସେ ଏଥିରେ ଦଳର ନେତୃତ୍ୱ ନେବେ । ଏଭଳି ସ୍ଥିତିରେ ତାଙ୍କ କାର୍ଯ୍ୟଭାର ପରିଚାଳନା ଗୁରୁତ୍ୱପୂର୍ଣ୍ଣ ହେବ । ତେଣୁ ଦିନିକିଆ ସିରିଜର କିଛି ମ୍ୟାଚରୁ ତାଙ୍କୁ ବିଶ୍ରାମ ଦିଆଯାଇପାରେ ।

ବୋଲିଂ ବିଭାଗରେ ଯୁବ ଦ୍ରୁତ ବୋଲର ଉମ୍ରାନ ମଲିକଙ୍କୁ ଭାରତୀୟ ଦଳରେ ନିଜ ସ୍ଥାନ ସୁଦୃଢ କରିବାକୁ ଆଉ ଏକ ସୁଯୋଗ ମିଳିବ । କାଶ୍ମୀରର ଏହି ୨୩ ବର୍ଷୀୟ ପେସରଙ୍କ ପାଖରେ ଗତି ଥିଲେ ମଧ୍ୟ ସେ ଅତ୍ୟଧିକ ରନ୍ ଲିକ୍ କରନ୍ତି । କିନ୍ତୁ ସେ ୱିକେଟ୍ ମଧ୍ୟ ନିଅନ୍ତି । ସେ ଏଯାବତ ୭ଟି ଦିନିକିଆ ଖେଳିଥିବା ବେଳେ ୧୩ଟି ୱିକେଟ୍ ନେଇଛନ୍ତି ।