ଜନସଂଖ୍ୟାରେ ଖୁବ୍ ଶୀଘ୍ର ଚୀନ୍‌କୁ ଟପିବ ଭାରତ | News Room Odisha

ଜନସଂଖ୍ୟାରେ ଖୁବ୍ ଶୀଘ୍ର ଚୀନ୍‌କୁ ଟପିବ ଭାରତ

ନୂଆଦିଲ୍ଲୀ: ଭାରତ ଖୁବ୍ ଶୀଘ୍ର ଚୀନକୁ ଟପି ବିଶ୍ୱର ସବୁଠୁ ଜନବହୁଳ ଦେଶ ପାଲଟିବ | ଚଳିତ ବର୍ଷ ମଧ୍ୟଭାଗରେ ଭାରତର ଜନସଂଖ୍ୟା ଚୀନ୍ ଠାରୁ ୩୦ ଲକ୍ଷ ଅଧିକ ହୋଇଯିବ। ମିଳିତ ଜାତିସଂଘର ଜନସଂଖ୍ୟା ରିପୋର୍ଟରେ ଏହା କୁହାଯାଇଛି ।

ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି (ୟୁଏନ୍ଏଫପିଏ)ର “ଷ୍ଟାଟସ୍ ଅଫ୍ ୱାର୍ଲ୍ଡ ପପୁଲେସନ୍ ରିପୋର୍ଟ, ୨୦୨୩”ର ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଭାରତର ଜନସଂଖ୍ୟା ୧୪୨.୮୬ କୋଟିକୁ ବୃଦ୍ଧି ପାଇବ । ଅନ୍ୟପକ୍ଷରେ ଚୀନର ଜନସଂଖ୍ୟା ୧୪୨.୫୭ କୋଟି ରହିବ । ୩୪ କୋଟି ଜନସଂଖ୍ୟା ସହିତ ଆମେରିକା ତୃତୀୟ ସ୍ଥାନରେ ରହିବ।

ରିପୋର୍ଟରେ କୁହାଯାଇଛି ଯେ ଏହି ଆକଳନ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ଉପଲବ୍ଧ ତଥ୍ୟ ଉପରେ ଆଧାରିତ।

ଜାତିସଂଘର ଅଧିକାରୀମାନଙ୍କ କହିବା ଅନୁଯାୟୀ, ଭାରତ ଏବଂ ଚୀନ୍‌ରୁ ଆସୁଥିବା ତଥ୍ୟର “ଅନିଶ୍ଚିତତା” କାରଣରୁ ଏକ ନିର୍ଦ୍ଦିଷ୍ଟ ତାରିଖ ଦେବା ସମ୍ଭବପର ନୁହେଁ, କାରଣ ଭାରତରେ ଶେଷଥର ଜନଗଣନା ୨୦୧୧ ମସିହାରେ ହୋଇଥିଲା । ୨୦୨୧ରେ ହେବାକୁ ଥିବା ପରବର୍ତ୍ତୀ ଜନଗଣନା କୋଭିଡ୍-୧୯ ମହାମାରୀ ଯୋଗୁଁ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ।