ଚମକିଲେ ଭାରତର ୟଙ୍ଗ୍ ବ୍ରିଗେଡ୍, ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଲଗାତାର ୧୩ତମ ସିରିଜ୍ ବିଜୟ | News Room Odisha

ଚମକିଲେ ଭାରତର ୟଙ୍ଗ୍ ବ୍ରିଗେଡ୍, ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଲଗାତାର ୧୩ତମ ସିରିଜ୍ ବିଜୟ

ତରୌବା: ଦ୍ବିତୀୟ ଦିନିକିଆରେ ହାରିବା ପରେ ଭାରତର ୟଙ୍ଗ ବ୍ରିଗେଡ୍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏଠାରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜକୁ ୨୦୦ ରନରେ ଧରାଶାୟୀ କରି ଭାରତ ୨-୧ରେ ସିରିଜ୍ ହାତେଇଛି । ଏଥିସହ ୨୦୦୬ ଠାରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ୍ ନ ହାରିବା ଧାରା ବଜାୟ ରଖିଛି ଟିମ୍ ଇଣ୍ଡିଆ । ଦିନିକିଆରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ଏହା ଲଗାତାର ୧୩ତମ ସିରିଜ୍ ବିଜୟ ।

ପୁଣି ଥରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିନା ଖେଳୁଥିବା ଭାରତ ଶେଷରେ ନିଜ ବ୍ୟାଟିଂ ଶକ୍ତି ପ୍ରଦର୍ଶନ କରିଥିଲା । ଇଶାନ କିଶନ (୭୭), ଶୁଭମାନ ଗିଲ୍ (୮୫), ସଞ୍ଜୁ ସାମସନ (୫୦) ଓ କାମଚଳା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (୭୦ ନଟ୍ ଆଉଟ୍)ଙ୍କ ର୍ଦ୍ଧଶତକ ସହାୟତାରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୫ ଓ୍ବିକେଟରେ ୩୫୧ ରନର ବିଶାଳ ସ୍କୋର କରିଥିଲା ।

ଏହାର ଜବାବରେ ଓ୍ବେଷ୍ଟଇଣ୍ଡିଜ ଆରମ୍ଭରୁ ସଂଘର୍ଷ କରିଥିଲା । ଶୀଘ୍ର ୩ଟି‌ ଓ୍ବିକେଟ୍ ଖସାଇ ମୁକେଶ କୁମାର ଓ୍ବେଷ୍ଟଇଣ୍ଡିଜକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ଓ୍ବେଷ୍ଟଇଣ୍ଡିଜ ଏକଦା ୫୦ ରନରେ ୬ ଓ୍ବିକେଟ୍ ହରାଇଥିଲା। ଆଲଜେରି ଯଓଶଏଫ୍ ଓ ଗୁଡାକେଶ ମୋତିଙ୍କ ମଧ୍ୟରେ ନବମ ଓ୍ବିକେଟରେ ୫୯ ରନ୍ ଭାଗିଦାରୀ ଭାରତର ବିଜୟକୁ ସାମାନ୍ୟ ବିଳମ୍ବ କରିଥିଲା । ଘରୋଇ ଦଳ ଶେଷରେ ୩୫.୩ ଓଭରରେ ୧୫୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ମୁକେଶ କୁମାର ୩ଟି ଓ ଶାର୍ଦ୍ଦୁଲ ଠାକୁର ୪ଟି ଓ୍ବିକେଟ୍ ନେଇଥିଲେ । କୁଲଦୀପ ଯାଦବ ୨ଟି ଓ୍ବିକେଟ୍ ପାଇଥିଲେ ‌ ।

ଓ୍ବେଷ୍ଟଇଣ୍ଡିଜ ତରଫରୁ ମୋତି ସର୍ବାଧିକ ୩୯ ରନ୍ କରିଥିବା ବେଳେ ଆଲିକ୍ ଆଥାନେଜ୍ ୩୨ ଓ ଆଲଜେରି ଯୋଶେଫ୍ ୨୬ ରନ୍ କରିଥିଲେ ।

କିଶନ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ଗିଲ୍ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ । ଦୁଇ ଦେଶ ମଧ୍ୟରେ ଏବେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଗୁରୁବାର ଠାରୁ ଖେଳାଯିବ ।