ଏମର୍ଜିଂ ଏସିଆ କପ୍: ବାଂଲାଦେଶକୁ ହରାଇ ଭାରତ ଚାମ୍ପିୟନ | News Room Odisha

ଏମର୍ଜିଂ ଏସିଆ କପ୍: ବାଂଲାଦେଶକୁ ହରାଇ ଭାରତ ଚାମ୍ପିୟନ

ମଙ୍ଗଳ କକ୍ (ହଂକଂ): ଶ୍ରୀୟଙ୍କା ପାଟିଲ ଏବଂ ମନ୍ନତ କାଶ୍ୟପଙ୍କ ଯାଦୁକରୀ ସ୍ପିନ୍ ବୋଲିଂ ବଳରେ ଭାରତ ବୁଧବାର ଫାଇନାଲରେ ବାଂଲାଦେଶକୁ ୩୧ ରନରେ ପରାସ୍ତ କରି ମହିଳା ଏମର୍ଜିଂ ଏସିଆ କପ୍ ଟି-୨୦ ଟାଇଟଲ୍ ଜିତିଛି । ଟସ୍ ଜିତିବା ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ଓ୍ବିକେଟ୍ ହରାଇ ୧୨୭ ରନ୍ କରିଥିଲା । ଏହାପରେ ଶ୍ରୀୟଙ୍କା (୧୩/୪) ଏବଂ ମନ୍ନତ (୨୦/୩) ବାଂଲାଦେଶକୁ ୧୯.୨ ଓଭରରେ ୯୬ ରନରେ ଧରାଶାୟୀ କରିଥିଲେ ।

ଅଫ୍ ସ୍ପିନର କନିକା ଅହୁଜା ମଧ୍ୟ ୨୩ ରନ୍ ବିନିମୟରେ ଦୁଇଟି ୱିକେଟ୍ ନେଇଥିଲେ। ମିଶନ୍ ରୋଡ୍ ଗ୍ରାଉଣ୍ଡର ମନ୍ଥର ପିଚ୍‌ରେ ବାଂଲାଦେଶ ବ୍ୟାଟରଙ୍କୁ ଶ୍ରୀୟଙ୍କା, ମନ୍ନତ ଏବଂ କାନିକାଙ୍କ ସ୍ପିନ୍ ତ୍ରିମୂର୍ତ୍ତି କୌଣସି ସୁଯୋଗ ଦେଇନଥିଲେ। ନାହିଦା ଅଖତର ବାଂଲାଦେଶ ପାଇଁ ୧୭ ରନ୍ କରି ଆଉଟ୍ ହୋଇଥିବାବେଳେ ଶୋଭାନା ମୋସ୍ତାରି ୧୬ ରନ୍ ସଂଗ୍ରହ କରିଥିଲେ। ଏହାପୂର୍ବରୁ ଦୀନେଶ ବୃନ୍ଦା ୨୯ଟି ବଲରୁ ୩୬ ରନ୍ କରି ଭାରତ ପାଇଁ ସର୍ବାଧିକ ସ୍କୋରର ହୋଇଥିବା ବେଳେ କାନିକା ୨୩ ବଲରୁ ଅପରାଜିତ ୩୦ ରନ୍ କରିଥିଲେ।

ବାଂଲାଦେଶ ବୋଲରମାନେ ନିୟମିତ ବ୍ୟବଧାନରେ ୱିକେଟ୍ ନେଇ ଭାରତୀୟ ବ୍ୟାଟରଙ୍କୁ ଚାପରେ ରଖିଥିଲେ। ବୃନ୍ଦା ଏବଂ କାନିକାଙ୍କ ବ୍ୟତୀତ କେବଳ ୱିକେଟ୍ କିପର ୟୁ ଛେତ୍ରୀ (୨୨) ଏବଂ ଅଧିନାୟିକା ଶ୍ୱେତା ସେହରାୱତ (୧୩) ହିଁ ଭାରତ ପକ୍ଷରୁ ଦୁଇଅଙ୍କ ଛୁଇଁ ପାରିଥିଲେ। ବାଂଲାଦେଶ ତରଫରୁ ବାମହାତୀ ସ୍ପିନର ନାହିଦା ୧୩ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିବାବେଳେ ଅଫ୍ ସ୍ପିନର ସୁଲତାନା ଖାତୁନ୍ ୩୦ ରନ୍ ବ୍ୟୟ କରି ଦୁଇଟି ୱିକେଟ୍ ହାସଲ କରିଥିଲେ ।

ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷ ସେମିଫାଇନାଲ୍ ବିନା କୌଣସି ବଲ୍ ନ ପଡ଼ି ଧୋଇଯିବା ପରେ ଭାରତ ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲ ପୂର୍ବରୁ ଭାରତ କେବଳ ଆୟୋଜକ ହଂକଂ ବିପକ୍ଷ ଗୋଟିଏ ମ୍ୟାଚ୍ ଖେଳିଥିଲା। ଟୁର୍ଣ୍ଣାମେଣ୍ଟରେ ଏହା ଦଳର ପ୍ରଥମ ମ୍ୟାଚ୍ ଥିଲା ଯାହାକୁ ଦଳ ୯ ୱିକେଟରେ ଜିତିଥିଲା। ଏହା ପରେ ଶ୍ରୀଲଙ୍କା ବିପକ୍ଷ ସେମିଫାଇନାଲ ସମେତ ଭାରତର ତିନୋଟି ମ୍ୟାଚ୍ ବର୍ଷାରେ ଧୋଇ ହୋଇଯାଇଥିଲା। ବର୍ଷା ଯୋଗୁଁ ଟୁର୍ଣ୍ଣାମେଣ୍ଟର ୮ଟି ମ୍ୟାଚ୍ ଖେଳାଯାଇ ପାରିନଥିଲା ।