ଅହମ୍ମଦାବାଦ ଟେଷ୍ଟ ଡ୍ର, ଭାରତ ୨-୧ରେ ସିରିଜ୍ ବିଜୟୀ | News Room Odisha

ଅହମ୍ମଦାବାଦ ଟେଷ୍ଟ ଡ୍ର, ଭାରତ ୨-୧ରେ ସିରିଜ୍ ବିଜୟୀ

ଅହମ୍ମଦାବାଦ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଡ୍ରରେ ଶେଷ ହୋଇଛି। ଫଳରେ ଭାରତ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ଜିତିଛି । ଏଥିସହ ଭାରତ ମଧ୍ୟ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ହରାଇବା ପରେ ଭାରତର ଡବ୍ଲୁଟିସି ଫାଇନାଲ୍ ଟିକେଟ୍ ପକ୍କା ହୋଇଯାଇଥିଲା । ଜୁନ୍ ୭ରେ ଲଣ୍ଡନର ଓଭାଲରେ ଖେଳାଯିବାକୁ ଥିବା ଡବ୍ଲୁଟିସି ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ପୁଣି ମୁହାଁମୁହିଁ ହେବେ ।

ଅହମ୍ମଦାବାଦ ଟେଷ୍ଟର ପଞ୍ଚମ ତଥା ଶେଷ ଦିନରେ ଅଷ୍ଟ୍ରେଲିଆ ମ୍ୟାଚ ବଞ୍ଚାଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିଲା । ଭାରତୀୟ ବୋଲର ମଧ୍ୟ ଅନ୍ତିମ ଦିବସରେ କେବଳ ୨ଟି ଓ୍ବିକେଟ୍ ଖସାଇବାରେ ସକ୍ଷମ ହୋଇଥିଲେ । ଅଷ୍ଟ୍ରେଲିଆ ଦ୍ବିତୀୟ ଇନିଂସରେ ୨ ୱିକେଟ୍ ହରାଇ ୧୭୫ ରନ୍ କରିଥିବା ବେଳେ ଫଳାଫଳ ବାହାରିବା ସମ୍ଭାବନା ନଥିବାରୁ ଦୁଇ ଅଧିନାୟକ ଖେଳ ବନ୍ଦ କରିବାକୁ ରାଜି ହୋଇଥିଲେ ।

କଙ୍ଗାରୁ ଦଳ ପ୍ରଥମ ଇନିଂସରେ ୪୮୦ ରନ୍ କରିବାରେ ସଫଳ ହୋଇଥିଲା। ଏହାପୂର୍ବରୁ ଭାରତ ପ୍ରଥମ ଇନିଂସରେ ୫୭୧ ରନ୍ କରିବା ସହ ୯୧ ରନରେ ଅଗ୍ରଣୀ ହାସଲ କରିଥିଲା ।

ପ୍ରଥମ ଇନିଂସରେ‌ ୧୮୬ ରନର ପାଳି ଖେଳିଥିବା ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ସ୍ପିନ୍ ଯୋଡି ଅଶ୍ୱିନ ଓ ଜାଡେଜା ଯୁଗ୍ମ ଭାବେ ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ପାଇଥିଲେ ।

ବର୍ଡର-ଗାଭାସ୍କର ଟ୍ରଫି ଅନ୍ତର୍ଗତ ଭାରତ ଓ ଅଷ୍ଟ୍ରେଲିଆ ଶେଷଥର ପାଇଁ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିଛନ୍ତି । ଆଗାମୀ ସମୟରେ ଉଭୟ ଦେଶ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବେ । ଦୁଇ ଦେଶ ମଧ୍ୟରେ ଏଯାବତ୍ ୧୬ ଥର ବର୍ଡର-ଗାଭାସ୍କର ଟ୍ରଫି ଖେଳାଯାଇଛି | ଭାରତ ଏହି ଟ୍ରଫି ୧୦ ଥର ଜିତିଥିବା ବେଳେ ଅଷ୍ଟ୍ରେଲିଆ ୫ ଥର ଟ୍ୟଫି କବଜା କରିଛି। ୨୦୦୩-୦୪ ମସିହାରେ ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ଏହି ସିରିଜ୍ ଡ୍ର ରହିଥିଲା |