ଉତ୍ତରକାଶୀ ଟନେଲ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହେଲା ସେନା, ଭର୍ଟିକାଲ୍ ଡ୍ରିଲିଂ ଆରମ୍ଭ | News Room Odisha

ଉତ୍ତରକାଶୀ ଟନେଲ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହେଲା ସେନା, ଭର୍ଟିକାଲ୍ ଡ୍ରିଲିଂ ଆରମ୍ଭ

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲ ଭୁଶୁଡ଼ିବା ଘଟଣାର ଆଜି ୧୫ ତମ ଦିନ | ଟନେଲ ଭିତରେ ନିଜ ଜୀବନ ପାଇଁ ସଂଗ୍ରାମ କରୁଥିବା ୪୧ ଶ୍ରମିକ କେବେ ମୁକୁଳିବେ ସେନେଇ ସେମାନଙ୍କ ପରିବାର ଲୋକ ଚାତକ ପରି ଅନାଇ ବସିଛନ୍ତି । ଶ୍ରମିକ ମାନଙ୍କୁ ବାହାର କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିନ୍ତୁ ଏହି ଅଭିଯାନରେ ନାନା ବାଧା ସୃଷ୍ଟି ହେଉଥିବାରୁ ଅପେକ୍ଷାର ଅନ୍ତ ଘଟୁନି । ସେପଟେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି ସେନା । ଭାରତୀୟ ସେନା ବର୍ତ୍ତମାନ ଉଦ୍ଧାର କାର୍ଯ୍ୟର ଦାୟିତ୍ଵ ନେଇଛି। ଏହାଛଡ଼ା ଟନେଲ୍ ଉପରି ଭାଗରେ ଭର୍ଟିକାଲ୍ ବା ଭୂଲମ୍ବ ଡ୍ରିଲିଂ ଆରମ୍ଭ ହୋଇଛି।

ଅଧିକାରୀଙ୍କ କହିବା ମୁତାବକ ଦ୍ୱିତୀୟ ବିକଳ୍ପ ଭାବରେ ଟନେଲ ଉପର ପାହାଡରୁ ଭୂଲମ୍ବ ଖନନ କାର୍ଯ୍ୟ ଆରମ୍ଭ ହୋଇଛି | ଅଗର୍ ମେସିନ୍ ଖରାପ ହୋଇଯିବା ପରେ ଶ୍ରମିକମାନଙ୍କୁ ବଞ୍ଚାଇବା ପାଇଁ ଭୂଲମ୍ବ ଡ୍ରିଲିଂ କରିବାକୁ ନିଷ୍ପତ୍ତି ନିଆଯାଇଛି |

ବର୍ତ୍ତମାନ ଭୂଲମ୍ବ ଡ୍ରିଲିଂ ମେସିନ୍ ଦ୍ବାରା ପର୍ବତ ଉପରେ ଖନନ ଆରମ୍ଭ ହୋଇଛି । ଡ୍ରିଲିଂ ମେସିନ୍ ମାଧ୍ୟମରେ ୨୦୦ ମିମି ଆକାରରେ ୯୦ ମିଟର ଖୋଳିବା ଯୋଜନା ଅଛି | ଏହାଛଡ଼ା ଟନେଲ ଭିତରେ ଡ୍ରିଲିଂ ବେଳେ ଯେଉଁ ଅଗର ମେସିନର ବ୍ଲେଡ୍ ଫସିଯାଇଥିଲା ତାହାକୁ ବାହାର କରିବା ପାଇଁ ହାଇଦ୍ରାବାଦରୁ ପ୍ଲାଜମା କଟର ଅଣାଯାଇଛି ।