ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜୟୀ ହକି ଖେଳାଳି ରୂପିନ୍ଦର ପାଲ୍ ସିଂଙ୍କ ଅବସର | News Room Odisha

ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜୟୀ ହକି ଖେଳାଳି ରୂପିନ୍ଦର ପାଲ୍ ସିଂଙ୍କ ଅବସର

ନୂଆଦିଲ୍ଲୀ: ଭାରତୀୟ ହକି ଖେଳାଳି ରୂପିନ୍ଦର ପାଲ୍ ସିଂ ଅବସର ଘୋଷଣା କରିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜେତା ଭାରତୀୟ ଦଳର ସେ ଜଣେ ସଦସ୍ୟ ଥିଲେ । ଆଜି ଟ୍ୱିଟରରେ ଏକ ପୋଷ୍ଟ ଜରିଆରେ ହକିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ଏହି ୩୦ ବର୍ଷୀୟ ଖେଳାଳି ।

ସେ କହିଛନ୍ତି ଯେ, ଗତ ଦୁଇ ମାସ ମୋ ଜୀବନର ସବୁଠୁ ଶ୍ରେଷ୍ଠ ସମୟ ଥିଲା । ଟୋକିଓରେ ନିଜ ସାଥୀ ଖେଳାଳିଙ୍କ ସହ ପୋଡିୟମରେ ଠିଆ ହେବା ଅନୁଭୂତି ଅବିସ୍ମରଣୀୟ ହୋଇ ରହିବ । ଏବେ ଯୁବ ପ୍ରତିଭାବାନ ଖେଳାଳିଙ୍କୁ ସୁଯୋଗ ଦେବା ସମୟ ଆସିଛି । ଭାରତ ପାଇଁ ଅଲିମ୍ପିକ୍ ପଦକ ଜିତିବାର ସ୍ୱପ୍ନ ସାକାର ହୋଇଥିବାରୁ ମୁଁ ସନ୍ତୋଷ ଓ ଖୁସିର ସହ ବିଦାୟ ନେବାକୁ ନିଷ୍ପତ୍ତି ନେଇଛି ବୋଲି ରୂପିନ୍ଦର ନିଜ ପୋଷ୍ଟରେ କହିଛନ୍ତି ।

ଏହି ଷ୍ଟାର ଡ୍ରାଗ୍ ଫ୍ଲିକର ୨୦୦୮ରେ ନିଜ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ୧୩ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ମଧ୍ୟରେ ରୂପିନ୍ଦର ଭାରତ ପାଇଁ ୨୨୩ଟି ମ୍ୟାଚ୍ ଖେଳିଛନ୍ତି ।

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ୪୧ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ବ୍ରୋଞ୍ଜ ପଦକ ହାସଲ କରିଥିଲା । ବ୍ରୋଞ୍ଜ ପଦକ ମ୍ୟାଚରେ ଜର୍ମାନୀକୁ ୫-୪ ଗୋଲରେ ହରାଇ ଭାରତୀୟ ହକି ଦଳ ଚାରି ଦଶନ୍ଧି ପରେ ପୋଡିୟମ ଫିନିଶ୍ କରିଥିଲା ।