ରାଜ୍ୟଗୋଷ୍ଠୀ କ୍ରୀଡା: ନିରାଶ କଲା ପୁରୁଷ ହକି ଦଳ, ଅଷ୍ଟ୍ରେଲିଆ ଠାରୁ ୭-୦ରେ ହାରି ରୌପ୍ୟରେ ସନ୍ତୁଷ୍ଟ; ୨୨ଟି ସ୍ୱର୍ଣ୍ଣ ସହ ଭାରତ ଚତୁର୍ଥ | News Room Odisha

ରାଜ୍ୟଗୋଷ୍ଠୀ କ୍ରୀଡା: ନିରାଶ କଲା ପୁରୁଷ ହକି ଦଳ, ଅଷ୍ଟ୍ରେଲିଆ ଠାରୁ ୭-୦ରେ ହାରି ରୌପ୍ୟରେ ସନ୍ତୁଷ୍ଟ; ୨୨ଟି ସ୍ୱର୍ଣ୍ଣ ସହ ଭାରତ ଚତୁର୍ଥ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ପୁରୁଷ ହକି ଦଳ ନିରାଶ କରିଛି । ଭାରତ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ୭-୦ରେ ଶୋଚନୀୟ ଭାବେ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି । ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ପୁରୁଷ ହକି ଦଳର ପ୍ରଥମ ସ୍ବର୍ଣ୍ଣ ଆଶା ପୁଣି ଧୂଳିସାତ୍ ହୋଇଯାଇଛି । ଭାରତ ଏହାପୂର୍ବରୁ ୨୦୧୦ ଏବଂ ୨୦୧୪ ରେ ମଧ୍ୟ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇଥିଲା। ପୁରୁଷ ହକିରେ ଭାରତ ୮ ବର୍ଷ ପରେ ପଦକ ଜିତିଛି । କୌତୁହଳର ବିଷୟ ଯେ, ଅଷ୍ଟ୍ରେଲିଆ ବିପକ୍ଷ ତିନୋଟି ରାଜ୍ୟଗୋଷ୍ଠୀ କ୍ରୀଡା ପୁରୁଷ ହକି ଫାଇନାଲରେ ଭାରତୀୟ ଦଳ ଗୋଟିଏ ବି ଗୋଲ ସ୍କୋର କରିପାରି ନାହିଁ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ହକି ଟିମ୍ ପୁଣି ଥରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଧିପତ୍ୟ ଜାହିର କରିଛି । ଅଷ୍ଟ୍ରେଲିଆ କ୍ରମାଗତ ସପ୍ତମ ସ୍ୱର୍ଣ୍ଣ ପଦକ ଜିତିଛି । ୧୯୯୮ ପରଠାରୁ କୌଣସି ଦଳ ଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବାରେ ସକ୍ଷମ ହୋଇ ନାହାଁନ୍ତି। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ଶେଷ ଇଭେଣ୍ଟ ଥିଲା ।

ଭାରତ ଚଳିତ ସଂସ୍କରଣରେ ୨୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଏବଂ ୨୩ଟି ବ୍ରୋଞ୍ଜ ସହ ମୋଟ ୬୧ ପଦକ ଜିତି ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛି।