ଶ୍ରୀଲଙ୍କା: ଆକ୍ରମଣରେ ଭାରତୀୟ ଅଧିକାରୀ ଗୁରୁତର, ସତର୍କ ରହିବାକୁ ନିଜ ନାଗରିକଙ୍କୁ କହିଲେ ଭାରତ ସରକାର | News Room Odisha

ଶ୍ରୀଲଙ୍କା: ଆକ୍ରମଣରେ ଭାରତୀୟ ଅଧିକାରୀ ଗୁରୁତର, ସତର୍କ ରହିବାକୁ ନିଜ ନାଗରିକଙ୍କୁ କହିଲେ ଭାରତ ସରକାର

କଲମ୍ବୋ: ଶ୍ରୀଲଙ୍କାରେ ଭାରତର ଜଣେ ବରିଷ୍ଠ ଅଧିକାରୀଙ୍କୁ ଆକ୍ରମଣ ହୋଇଛି । ଏହି ଘଟଣା ପରେ ସେ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ଭାରତୀୟ ହାଇ କମିଶନ ଏହି ସୂଚନା ଦେଇଛନ୍ତି। ଶ୍ରୀଲଙ୍କାର ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଅବଗତ ହେବା ଏବଂ ତଦନୁଯାୟୀ ସତର୍କତା ଅବଲମ୍ବନ କରିବାକୁ ହାଇ କମିଶନ ଭାରତୀୟ ନାଗରିକମାନଙ୍କୁ ପରାମର୍ଶ ଦେଇଛନ୍ତି । ଶ୍ରୀଲଙ୍କାରେ ଉତ୍କଟ ଅର୍ଥନୈତିକ ସଙ୍କଟ ଯୋଗୁଁ ରାଜନୈତିକ ଅସ୍ଥିରତା ପରେ ଦେଶରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି । ନୂଆ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଦେଶରେ ପୁଣି ଜରୁରୀ ପରିସ୍ଥିତି ଲଗାଇଛନ୍ତି।

ଭାରତୀୟ ହାଇ କମିଶନ ଏକ ଟୁଇଟ୍‌ରେ କହିଛନ୍ତି ଯେ ଭାରତ ଏବଂ ଶ୍ରୀଲଙ୍କା ଲୋକଙ୍କ ମଧ୍ୟରେ ସମ୍ପର୍କ ସର୍ବଦା ଆନ୍ତରିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ ରହିଛି। ସାମ୍ପ୍ରତିକ ପରିସ୍ଥିତିରେ ଶ୍ରୀଲଙ୍କାରେ ଭାରତୀୟ ନାଗରିକମାନଙ୍କୁ ସଦ୍ୟତମ ଘଟଣା ସମ୍ପର୍କରେ ସତର୍କ ରହିବା ଉଚିତ । ଏବଂ ତଦନୁସାରେ ନିଜ ଗତିବିଧି ଓ କାର୍ଯ୍ୟକଳାପ ବିଷୟରେ ଯୋଜନା କରିବାକୁ ଅନୁରୋଧ କରାଯାଉଛି।

ହାଇ କମିଶନଙ୍କ ଅନ୍ୟ ଏକ ଟୁଇଟ୍ ଅନୁଯାୟୀ ସୋମବାର ରାତିରେ କଲମ୍ବୋ ନିକଟରେ ଭାରତୀୟ ନାଗରିକ ତଥା ଭାରତୀୟ ଭିସା କେନ୍ଦ୍ରର ନିର୍ଦ୍ଦେଶକ ବିବେକ ବର୍ମାଙ୍କ ଉପରେ ଅକାରଣେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ହାଇ କମିଶନ ଅଧିକାରୀ ଭେଟିଛନ୍ତି ।