ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗା ବିଶ୍ୱବ୍ୟାଙ୍କର ନୂଆ ସଭାପତି | News Room Odisha

ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗା ବିଶ୍ୱବ୍ୟାଙ୍କର ନୂଆ ସଭାପତି

ୱାଶିଂଟନ୍: ପୁଣି ଏକ ସମ୍ମାନଜନକ ବିଶ୍ଵ ସଂସ୍ଥାର ମୁଖ୍ୟ ପଦରେ ଭାରତୀୟ । ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀ ଅଜୟ ବାଙ୍ଗା ହୋଇଛନ୍ତି ବିଶ୍ୱ ବ୍ୟାଙ୍କର ନୂଆ ସଭାପତି । ବିଶ୍ୱ ବ୍ୟାଙ୍କର ସଭାପତି ଭାବେ ବାଙ୍ଗାଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷ ହେବ। ଡେଭିଡ ମାଲପାସ୍ ଇସ୍ତଫା ଦେବାକୁ ପ୍ରସ୍ତାବ ଦେବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଅଜୟ ବଙ୍ଗାଙ୍କୁ ବିଶ୍ଵ ବ୍ୟାଙ୍କର ସଭାପତି ପଦ ପାଇଁ ମନୋନୀତ କରିଥିଲେ।

ଅଜୟ ବାଙ୍ଗାଙ୍କ ନିଯୁକ୍ତି ସମ୍ପର୍କରେ ସୂଚନା ଦେଇ ବିଶ୍ୱ ବ୍ୟାଙ୍କ ଏକ ପ୍ରେସ ବିବୃତ୍ତିରେ କହିଛି ଯେ ବିଶ୍ୱ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନେ ଆଜି ଅଜୟ ବାଙ୍ଗାଙ୍କୁ ପାଞ୍ଚ ବର୍ଷ ପାଇଁ ସଭାପତି ଭାବେ ନିଯୁକ୍ତ କରିଛନ୍ତି। ତାଙ୍କର ପାଞ୍ଚ ବର୍ଷର କାର୍ଯ୍ୟକାଳ ଜୁନ୍ ୨, ୨୦୨୩ରୁ ଆରମ୍ଭ ହେବ।

୬୩ ବର୍ଷୀୟ ଅଜୟ ବାଙ୍ଗା ଜଣେ ଭାରତୀୟ-ଆମେରିକୀୟ ନାଗରିକ | ଅଜୟ ବାଙ୍ଗାଙ୍କ ପିତାଙ୍କ ନାମ ହରଭଜନ ସିଂ ବାଙ୍ଗା। ସେ ଭାରତୀୟ ସେନାର ଲେଫ୍ଟନାଣ୍ଟ ଜେନେରାଲ ଭାବେ ଅବସର ନେଇଥିଲେ। ତାଙ୍କ ପରିବାର ପଞ୍ଜାବର ଜଲନ୍ଧରରୁ ଆସିଛନ୍ତି। ଅଜୟ ବାଙ୍ଗା ମହାରାଷ୍ଟ୍ରର ପୁଣେରେ ବଢିଥିଲେ । କାରଣ ସେତେବେଳେ ତାଙ୍କ ବାପାଙ୍କ ପୋଷ୍ଟିଂ ପୁଣେରେ ହୋଇଥିଲା। ଅଜୟ ବାଙ୍ଗା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଅର୍ଥନୀତିରେ ସ୍ନାତକ ହାସଲ କରିଥିଲେ। ସେ ଅହମ୍ମଦାବାଦ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରୁ ତାଙ୍କର ପରବର୍ତ୍ତୀ ଶିକ୍ଷା ସମାପ୍ତ କରିଥିଲେ।

ଅଜୟ ବାଙ୍ଗା ମାଷ୍ଟରକାର୍ଡର ସଭାପତି ତଥା ସିଇଓ ଥିଲେ। ଉଲ୍ଲେଖଯୋଗ୍ୟ, ବାଙ୍ଗାଙ୍କୁ ୨୦୧୬ ମସିହାରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଅଜୟ ବାଙ୍ଗା ବର୍ତ୍ତମାନ ଜେନେରାଲ ଆଟଲାଣ୍ଟିକର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି।