ଆମେରିକାରେ ଆକ୍ରମଣର ଶିକାର‌ ଭାରତୀୟ ମୂଳର ବ୍ୟକ୍ତିଙ୍କ ମୃତ୍ୟୁ | News Room Odisha

ଆମେରିକାରେ ଆକ୍ରମଣର ଶିକାର‌ ଭାରତୀୟ ମୂଳର ବ୍ୟକ୍ତିଙ୍କ ମୃତ୍ୟୁ

ୱାଶିଂଟନ୍: ଆମେରିକାରେ ଭାରତୀୟ ଓ ଭାରତୀୟ ମୂଳର ଲୋକଙ୍କ ଉପରେ ଆକ୍ରମଣର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ୱାଶିଂଟନର‌ ଏକ ରେସ୍ତୋରାଁ ବାହାରେ ଆକ୍ରମଣ ପରେ ଗୁରୁତର ଆହତ ହୋଇଥିବା ଜଣେ ୪୧ ବର୍ଷୀୟ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି।

ପୋଲିସ କହିଛି, ଫେବୃଆରୀ ୨ରେ ରାତି ପ୍ରାୟ ୨ଟା ସମୟରେ ଶୋଟୋ ରେସ୍ତୋରାଁ ବାହାରେ ‘ଫିଫ୍ଟିନ୍ଥ ଷ୍ଟ୍ରିଟ୍ ନର୍ଥଓ୍ବେଷ୍ଟ’ର ୧୧୦୦ ବ୍ଲକରେ ଏହି ଘଟଣା ସମ୍ପର୍କରେ ସୂଚନା ପାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ବିବେକ ତନେଜା ନାମକ ଜଣେ ଭାରତୀୟ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଗୁରୁତର ଆହତ ତନେଜାଙ୍କ ବୁଧବାର ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ପୋଲିସ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଖୋଜୁଛି। ଅଭିଯୁକ୍ତଙ୍କ ଫୁଟେଜ୍ ସିସିଟିଭିରୁ ମିଳିଛି। ତନେଜା ଡାଇନାମୋ ଟେକ୍ନୋଲୋଜି ନାମକ କମ୍ପାନୀର ସହ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଥିଲେ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ତନେଜା ଓ ଜଣେ ଅଜଣା ବ୍ୟକ୍ତିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଅଭିଯୁକ୍ତ ତନେଜାଙ୍କୁ ତଳେ ପକାଇ ତାଙ୍କ ମୁଣ୍ଡକୁ ଫୁଟପାଥରେ ପିଟି ଦେଇଥିଲା ଅଭିଯୁକ୍ତ ।

ନିକଟରେ ଆମେରିକାର ଚିକାଗୋରେ ଭାରତୀୟ ଛାତ୍ର ସୟଦ ମଜହିର ଅଲିଙ୍କୁ ଡକାୟତମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାପୂର୍ବରୁ ଜର୍ଜିଆର ଲିଥୋନିଆ ସହରରେ ଜଣେ ନିଶାସକ୍ତ ବ୍ଯକ୍ତି ୨୫ ବର୍ଷୀୟ ଭାରତୀୟ ଛାତ୍ର ବିବେକ ସାଇନିଙ୍କୁ ହାତୁଡ଼ିରେ ପିଟି ହତ୍ୟା କରିଥିଲା। ଚଳିତ ବର୍ଷ ଆମେରିକାରେ ଭାରତୀୟ ମୂଳର ଆଉ ଚାରି ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି।