ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ ହେଲେ ଟ୍ୱିଟରର ନୂଆ ସିଇଓ | News Room Odisha

ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ ହେଲେ ଟ୍ୱିଟରର ନୂଆ ସିଇଓ

ନ୍ୟୁୟର୍କ: ଟ୍ୱିଟରର ସହ ପ୍ରତିଷ୍ଠାତା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜ୍ୟାକ୍ ଡୋର୍ସି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଜ୍ୟାକ୍ ଡୋର୍ସିଙ୍କ ସ୍ଥାନରେ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ ଟ୍ବିଟରର ସିଇଓ ନିଯୁକ୍ତ ହୋଇଛନ୍ତି । ପରାଗ ହେଉଛନ୍ତି ଆଇଆଇଟି- ବମ୍ବେ ଗ୍ରାଜୁଏଟ୍ । ସେ ୨୦୧୧ରେ ଟ୍ବିଟରରେ ଯୋଗ ଦେଇଥିଲେ ଏବଂ ଚିଫ୍ ଟେକ୍ନିକାଲ ଅଫିସର୍ ଭାବେ ଦାୟିତ୍ଵ ତୁଲାଉଥିଲେ । ତାଙ୍କୁ ସିଇଓ ଭାବେ ନିଯୁକ୍ତ କରାଯାଇଥିବାରୁ ପରାଗ ଟ୍ବିଟର ବୋର୍ଡ ଓ ବିଦାୟୀ ସିଇଓ

ଡୋର୍ସିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ପୂର୍ବରୁ ଜ୍ୟାକ୍ ଡୋର୍ସି ଟ୍ୱିଟରରେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ପ୍ରତିଷ୍ଠାତା ଠାରୁ ସିଇଓ, ଚେୟାରରୁ ଏଗଜିକ୍ୟୁଟିଭ୍ ଚେୟାର, ତାପରେ ମଧ୍ୟବର୍ତ୍ତୀ ସିଇଓ ଓ
ସିଇଓ ପର୍ଯ୍ୟନ୍ତ କମ୍ପାନୀରେ ପ୍ରାୟ ୧୬ ବର୍ଷ ବିତାଇବା ପରେ ମୁଁ ଶେଷରେ ନିଷ୍ପତ୍ତି ନେଇଛି ଯେ ଇସ୍ତଫା ଦେବାକୁ ସମୟ ଆସିଯାଇଛି। ଜ୍ୟାକ୍ ତାଙ୍କ ବିବୃତ୍ତି ଶେଷରେ କହିଛନ୍ତି ଯେ ଟ୍ୱିଟର ପାଇଁ ମୋର ଏକମାତ୍ର ଅଭିଳାଷ ହେଉଛି ଏହା ଦୁନିଆର ସବୁଠୁ ସ୍ୱଚ୍ଛ କମ୍ପାନୀ ହେଉ ।

ସୂତ୍ରରୁ ପ୍ରକାଶ ଯେ ଜ୍ୟାକ୍ ଡୋର୍ସିଙ୍କ ଟ୍ୱିଟରରୁ ଇସ୍ତଫା ପାଇଁ କମ୍ପାନୀର ବୋର୍ଡ ଗତ ଏକ ବର୍ଷ ଧରି ପ୍ରସ୍ତୁତି କରୁଥିଲା। ସୂଚନାଯୋଗ୍ୟ ଯେ ଜ୍ୟାକ୍ ଡୋର୍ସି ନଭେମ୍ବର ୨୮ରେ ତାଙ୍କର ଶେଷ ଟ୍ୱିଟ୍ କରିଥିଲେ | ସେ ସେହି ଟ୍ୱିଟରେ ଲେଖିଥିଲେ – “ମୁଁ ଟ୍ୱିଟରକୁ ଭଲ ପାଏ।”

ଡୋର୍ସି ଟ୍ୱିଟରର ସିଇଓ ରହିବା ସହ ପେମେଣ୍ଟ କମ୍ପାନୀ ସ୍କୋୟାରର ମଧ୍ୟ ସିଇଓ ଦାୟିତ୍ବ ତୁଲାଉଥିଲେ । ଏହାକୁ ନେଇ ଗତବର୍ଷ ବିବାଦ ସୃଷ୍ଟି ହୋଇଥିଲା ।