ଦକ୍ଷିଣ ଆଫ୍ରିକାରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ଡିସେମ୍ବର ୨୬ରୁ ଆରମ୍ଭ ହେବ ଟେଷ୍ଟ ସିରିଜ୍ | News Room Odisha

ଦକ୍ଷିଣ ଆଫ୍ରିକାରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ଡିସେମ୍ବର ୨୬ରୁ ଆରମ୍ଭ ହେବ ଟେଷ୍ଟ ସିରିଜ୍

ଜୋହାନ୍ସବର୍ଗ: ଡିସେମ୍ବର ୨୬ରୁ ଆରମ୍ଭ ହେଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଗୁରୁବାର ଦକ୍ଷିଣ ଆଫ୍ରିକାରେ ପହଞ୍ଚିଛି । ଭାରତୀୟ ଦଳ ଜୋହାନ୍ସବର୍ଗରେ ପହଞ୍ଚିବା ପରେ ବିସିସିଆଇ ଏହାର ଏକ ଫଟୋ ନିଜ ଟ୍ୱିଟର ହ୍ୟାଣ୍ଡଲରେ ସେୟାର କରିଛି ।

କୋହଲିଙ୍କ ନେତୃତ୍ୱାଧୀ ଭାରତୀୟ ଟେଷ୍ଟ ଦଳ ବୁଧବାର ରାତିରେ ମୁମ୍ବାଇରୁ ଏକ ଫ୍ଲାଇଟରେ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଥିଲା । ତିନୋଟି ଟେଷ୍ଟ ସହ ଏହି ଗସ୍ତରେ ଦକ୍ଷିଣ ଆଫ୍ରିକା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ମଧ୍ୟ ଖେଳିବ । ଭାରତ ଏହି ଗସ୍ତରେ ତିନୋଟି ଟି୨୦ ମଧ୍ୟ ଖେଳିବାର ଥିଲା । ହେଲେ ନୂଆ କରୋନା ଭାରିଆଣ୍ଟ୍ ଓମିକ୍ରନ ବିପଦ ଦୃଷ୍ଟିରୁ ଟି୨୦ ସିରିଜକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ଭାରତୀୟ ଦଳ ଏହି ଗସ୍ତ ଶେଷ ହେବା ଯାଏଁ ଏକ ସୁରକ୍ଷା ବଳୟ (ବାୟୋ ବବଲ୍‌)ରେ ରହିବ ।

ନବନିଯୁକ୍ତ ଧଳା ବଲ୍ ଅଧିନାୟକ ତଥା ଟେଷ୍ଟ ଉପଅଧିନାୟକ ରୋହିତ ଶର୍ମା ଆଘାତ କାରଣରୁ ଟେଷ୍ଟ ସିରିଜରୁ ବଞ୍ଚିତ ହୋଇଛନ୍ତି । ରୋହିତଙ୍କ ସ୍ଥାନରେ ପ୍ରିୟଙ୍କ ପାଞ୍ଚଲଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି ।

ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଦଳର ସୀମିତ ଓଭର ଅଧିନାୟକ ପରିବର୍ତ୍ତନକୁ ନେଇ ବିବାଦ ସୃଷ୍ଟି ହୋଇଛି । ବୁଧବାର ବିରାଟ କୋହଲିଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଏହି ବିବାଦ ଆହୁରି ତେଜିଛି । କୋହଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଦାବିକୁ ଖଣ୍ଡନ କରି କହିଥିଲେ ଯେ, ଟି୨୦ ନେତୃତ୍ୱ ନ ଛାଡ଼ିବାକୁ ତାଙ୍କୁ କେବେ କୁହାଯାଇ ନଥିଲା । ୟୁଏଇରେ ଅନୁଷ୍ଠିତ ଟି୨୦ ବିଶ୍ୱକପରେ ନୈରାଶ୍ୟଜନକ ଅଭିଯାନ ପରେ କୋହଲି ଏହି ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ପଦ ଛାଡ଼ିଥିଲେ । ପୁଣି ତାଙ୍କୁ ଚଳିତ ମାସ ପ୍ରଥମ ସପ୍ତାହରେ ଦିନିକିଆ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା ।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ଡିସେମ୍ବର ୨୬ରୁ ସେଞ୍ଚୁରିଅନରେ ଆରମ୍ଭ ହେବ । ଦ୍ୱିତୀୟ ଟେଷ୍ଟ ଜୋହାନ୍ସବର୍ଗରେ ଖେଳାଯିବାକୁ ଥିବାବେଳେ ତୃତୀୟ ତଥା ଅନ୍ତିମ ଟେଷ୍ଟ କେପ୍ ଟାଉନରେ ଅନୁଷ୍ଠିତ ହେବ । ଆଘାତ କାରଣରୁ ରୋହିତ ଟେଷ୍ଟ ସିରିଜରୁ ବଞ୍ଚିତ ହେବା ପରେ ତାଙ୍କ ସ୍ଥାନରେ କିଏ ଉପଅଧିନାୟକ ଦାୟିତ୍ୱ ତୁଲାଇବେ ତାହା ଏଯାବତ ଘୋଷଣା କରାଯାଇ ନାହିଁ । ଉଲ୍ଲେଖଯୋଗ୍ୟ ଯେ, ଫର୍ମ ପାଇଁ ଦୀର୍ଘ ସମୟ ଧରି ସଂଘର୍ଷ କରୁଥିବା ଅଜିଙ୍କ୍ୟ ରାହାଣେଙ୍କୁ ହଟାଯାଇ ରୋହିତଙ୍କୁ ଟେଷ୍ଟ ଦଳର ଉପଅଧିନାୟକ କରାଯାଇଥିଲା ।