ପୁଣି ଭାରତ-ଚୀନ୍ ସେନା ମୁହାଁମୁହିଁ, ଅରୁଣାଚଳ ପ୍ରଦେଶରେ ଚୀନ୍ ସେନାର ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ଭାରତ | News Room Odisha

ପୁଣି ଭାରତ-ଚୀନ୍ ସେନା ମୁହାଁମୁହିଁ, ଅରୁଣାଚଳ ପ୍ରଦେଶରେ ଚୀନ୍ ସେନାର ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ସୈନିକ ପୁଣି ମୁହାଁମୁହିଁ ହୋଇଛନ୍ତି । ଗତ ସପ୍ତାହରେ ଅରୁଣାଚଳ ସେକ୍ଟରରେ ଉଭୟ ପକ୍ଷର ସେନା ମଧ୍ୟରେ ସଂଘର୍ଷ ଘଟିଥିଲା । ପ୍ରତିରକ୍ଷା ବିଭାଗର ସୂଚନା ଅନୁଯାୟୀ ପ୍ରାୟ ୨୦୦ ଚୀନ୍ ସୈନିକ ପ୍ରକୃତ ନିମନ୍ତ୍ରଣ ରେଖା (ଏଲ୍ଏସି) ପାର୍ କରି ଅନୁପ୍ରବେଶ ଉଦ୍ୟମ କଲାବେଳେ ଭାରତୀୟ ସେନା ସେମାନଙ୍କୁ ଅଟକାଇଥିଲେ । ଉଭୟ ଦେଶର ସୈନିକଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି ସଂଘର୍ଷ ହୋଇଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତିର ଖବର ନାହିଁ। ପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା ଏବଂ ପ୍ରୋଟୋକଲ ଅନୁଯାୟୀ ବିବାଦର ସମାଧାନ ହୋଇଥିଲା।

ସୂତ୍ରରୁ ପ୍ରକାଶ ଯେ ଉଭୟ ପକ୍ଷ ନିଜର ପ୍ରୋଟୋକଲ ଅନୁଯାୟୀ ଏଲ୍ଏସିରେ ପାଟ୍ରୋଲିଂ କରନ୍ତି। ଯେବେ ଉଭୟ ପକ୍ଷର ପାଟ୍ରୋଲିଂ ଦଳ ମୁହାଁମୁହିଁ ହୁଅନ୍ତି, ତେବେ ଉଭୟ ପକ୍ଷ ସହମତ ହୋଇଥିବା ପ୍ରୋଟୋକଲ ଏବଂ ସର୍ତ୍ତାବଳୀ ଅନୁଯାୟୀ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଏ | ଏହାପୂର୍ବରୁ ଅଗଷ୍ଟରେ ଭାରତ ଏବଂ ଚୀନ୍ ଗୋଗ୍ରା ହାଇଟ୍ସ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରି ନିଜ ନିଜ ସ୍ଥାୟୀ ବେସକୁ ଫରିଥିଲେ। ଦ୍ୱାଦଶ ପର୍ଯ୍ୟାୟ ସାମରିକ ଆଲୋଚନାରେ ଭାରତ ଏବଂ ଚୀନ୍ ପାଟ୍ରୋଲିଂ ପଏଣ୍ଟ ୧୭-ଏ’ ରୁ ସୈନ୍ୟ ସ୍ଥାନାନ୍ତର କରିବାକୁ ସହମତ ହୋଇଥିଲେ, ଯାହା ପୂର୍ବ ଲଦାଖ ଅଞ୍ଚଳରେ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରୁ ଅନ୍ୟତମ।

ସୂଚନାଯୋଗ୍ୟ ଯେ ଅଗଷ୍ଟ ୩୦ରେ ପ୍ରାୟ ଶହେ ଚୀନ୍ ସୈନିକ ସୀମା ପାର ହୋଇ ଉତ୍ତରାଖଣ୍ଡର ବାରାହୋଟିରେ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲେ। ପ୍ରାୟ ପାଞ୍ଚ କିଲୋମିଟର ଭିତରକୁ ଆସିବା ପରେ ଚୀନ୍ ସୈନିକମାନେ ଏଠାରୁ ଫେରି ଯାଇଥିଲେ। ଖବର ଅନୁଯାୟୀ, ଭାରତୀୟ ସୀମାବର୍ତ୍ତୀ ଅଞ୍ଚଳରୁ ଫେରୁଥିବା ସମୟରେ ଚୀନ୍ ସୈନ୍ୟମାନେ ଏହି ଅଞ୍ଚଳର ଏକ ପୋଲକୁ ଭାଙ୍ଗି ଦେଇଥିଲେ । ତେବେ ସୁରକ୍ଷା ଏଜେନ୍ସି ଏଭଳି ରିପୋର୍ଟକୁ ଖଣ୍ଡନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପୂର୍ବ ଲଦାଖରେ ଏପ୍ରିଲ୍ ୨୦୨୦ ଠାରୁ ଉଭୟ ଦେଶର ସୈନ୍ୟ ବାହିନୀ ମଧ୍ୟରେ ବିବାଦ ଲାଗି ରହିଛି। ଦେଢ ବର୍ଷରୁ ଅଧିକ ସମୟ ଧରି ଏଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି |