ଭାରତୀୟ ମହାକାଶ କାର୍ଯ୍ୟକ୍ରମରେ ନୂଆ ମାଇଲଖୁଣ୍ଟ: ଆଜି ପ୍ରେରଣ କରାଯିବ ଦେଶର ପ୍ରଥମ ଘରୋଇ ରକେଟ୍ | News Room Odisha

ଭାରତୀୟ ମହାକାଶ କାର୍ଯ୍ୟକ୍ରମରେ ନୂଆ ମାଇଲଖୁଣ୍ଟ: ଆଜି ପ୍ରେରଣ କରାଯିବ ଦେଶର ପ୍ରଥମ ଘରୋଇ ରକେଟ୍

ଚେନ୍ନାଇ / ନୂଆଦିଲ୍ଲୀ: ଭାରତର ମହାକାଶ କାର୍ଯ୍ୟକ୍ରମ ଶୁକ୍ରବାର ନୂଆ ଶିଖର ଛୁଇଁବ । ଆଜି ଶ୍ରୀହାରିକୋଟାସ୍ଥିତ କେନ୍ଦ୍ରରୁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଦେଶର ପ୍ରଥମ ଘରୋଇ ବିକଶିତ ରକେଟ୍ ‘ବିକ୍ରମ-ଏସ୍’ ପ୍ରେରଣ କରିବ। ହାଇଦ୍ରାବାଦ ସ୍ଥିତ ଷ୍ଟାର୍ଟ ଅପ୍ ସ୍କାଇରୁଟ୍ ଏରୋସ୍ପେସର ‘ବିକ୍ରମ-ଏସ୍’ ରକେଟର ପ୍ରଥମ ଉତକ୍ଷେପଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଏହା ଦେଶର ମହାକାଶ ଶିଳ୍ପରେ ଘରୋଇ କ୍ଷେତ୍ରର ପ୍ରବେଶର ଆରମ୍ଭ ହେବ, ଯହିଁରେ ଦଶନ୍ଧି ଦଶନ୍ଧି ଧରି ରାଷ୍ଟ୍ରାୟତ୍ତ ‘ଇସ୍ରୋ’ର ପ୍ରାଧାନ୍ୟ ରହିଆସିଛି |

୨୦୨୦ରେ କେନ୍ଦ୍ର ସରକାର ଘରୋଇ କ୍ଷେତ୍ର ପାଇଁ ମହାକାଶ ଶିଳ୍ପ ଖୋଲିବା ପରେ ସ୍କାଏରୁଟ୍ ଏରୋସ୍ପେସ୍ ଭାରତର ପ୍ରଥମ ଘରୋଇ କ୍ଷେତ୍ର କମ୍ପାନୀ ହୋଇପାରିଛି।

ଶୁକ୍ରବାର ପୂର୍ବାହ୍ନ ୧୧:୩୦ ରେ ପ୍ରଥମ ଘରୋଇ ରକେଟ୍ ବିକ୍ରମ-ଏସ୍ ଉତକ୍ଷେପଣ ପାଇଁ ସମୟ ସ୍ଥିର କରାଯାଇଛି। ଏହାକୁ ପ୍ରଥମେ ୧୫ ନଭେମ୍ବରରେ ଲଞ୍ଚ କରିବାକୁ ଯୋଜନା କରାଯାଇଥିଲା। ବିକ୍ରମ-ଏସ୍ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ପରେ ୮୧ କିଲୋମିଟର ଉଚ୍ଚତାରେ ପହଞ୍ଚିବ। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ତଥା ବୈଜ୍ଞାନିକ ସ୍ୱର୍ଗତ ବିକ୍ରମ ସାରାଭାଇଙ୍କ ନାମରେ ଏହି ରକେଟର ନାମକରଣ କରାଯାଇଛି।

‘ପ୍ରାରମ୍ଭ’ ନାମକ ଏହି ମିଶନ୍ ଦୁଇଟି ଘରୋଇ ଏବଂ ଏକ ବିଦେଶୀ ଗ୍ରାହକଙ୍କ ତିନୋଟି ପେଲୋଡ୍ ବହନ କରିବ | ବିକ୍ରମ-ଏସ୍ ସବ୍-ଅର୍ବିଟାଲ୍ ବିମାନ ଚେନ୍ନାଇ ଭିତ୍ତିକ ଷ୍ଟାର୍ଟଅପ୍ ସ୍ପେସ୍ କିଡଜ୍, ଆନ୍ଧ୍ରପ୍ରଦେଶ ଭିତ୍ତିକ ଷ୍ଟାର୍ଟଅପ୍ ଏନ-ସ୍ପେସ୍ ଟେକ୍ ଏବଂ ଆର୍ମେନିଆ ଷ୍ଟାର୍ଟଅପ୍ ବାଜୁମ୍କ ସ୍ପେସ୍ ରିସର୍ଚ୍ଚ ଲ୍ୟାବରୁ ତିନୋଟି ପେଲୋଡ୍ ନେଇ ମହାକାଶ ଅଭିମୁଖେ ଯାତ୍ରା କରିବ ।

ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ ଚଳିତ ମାସ ଆରମ୍ଭରେ ବେଙ୍ଗାଲୁରୁରେ ‘ପ୍ରାରମ୍ଭ’ର ଉନ୍ମୋଚନ କରିଥିଲେ।