ବିଶ୍ବ କ୍ଷୁଧା ସୂଚକାଙ୍କରେ ଖସିଲା ଭାରତର ର଼୍ୟାଙ୍କ୍, ପାକିସ୍ତାନ, ଶ୍ରୀଲଙ୍କା ଠାରୁ ବି ପଛରେ | News Room Odisha

ବିଶ୍ବ କ୍ଷୁଧା ସୂଚକାଙ୍କରେ ଖସିଲା ଭାରତର ର଼୍ୟାଙ୍କ୍, ପାକିସ୍ତାନ, ଶ୍ରୀଲଙ୍କା ଠାରୁ ବି ପଛରେ

ନୂଆଦିଲ୍ଲୀ: କ୍ଷୁଧା ଦୂର କରିବାରେ ଭାରତ‌ ପୁଣି ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ (ବିଶ୍ବ କ୍ଷୁଧା ସୂଚକାଙ୍କ) ୨୦୨୨ରେ ଭାରତ ୧୨୧ଟି ଦେଶ ମଧ୍ୟରୁ ୧୦୭ତମ ସ୍ଥାନକୁ ଖସି ଆସିଛି। ଗତବର୍ଷ ଭାରତର ର଼୍ୟାଙ୍କ୍ ୧୦୧ ଥିଲା । ଏଥର ଦେଶର ମାନ୍ୟତା ଆହୁରି ତଳକୁ ଖସିଛି । ବିଶ୍ୱ କ୍ଷୁଧା ତାଲିକାରେ ଦକ୍ଷିଣ ଏସୀୟ ଦେଶମାନଙ୍କ ମଧ୍ୟରେ ଭାରତ କେବଳ ଯୁଦ୍ଧ ବିଧ୍ବସ୍ତ ଆଫଗାନିସ୍ତାନ ଠାରୁ ଆଗରେ ରହିଛି । ଲଜ୍ଜାଜନକ ବିଷୟ ହେଉଛି ଆର୍ଥିକ ସଙ୍କଟ ଏବଂ ଖାଦ୍ୟାଭାବ ଭଳି ସମସ୍ୟାର ସମ୍ମୁଖୀନ ପାକିସ୍ତାନ ଏବଂ ଶ୍ରୀଲଙ୍କା ଭଳି ଦେଶ କ୍ଷୁଧା ତାଲିକାରେ ଭାରତ ଠାରୁ ଭଲ ସ୍ଥିତିରେ ଅଛନ୍ତି।

ବିଶ୍ୱ କ୍ଷୁଧା ତାଲିକାରେ ଆଫଗାନିସ୍ତାନକୁ ଛାଡ଼ି ଭାରତର ଅନ୍ୟ ପଡୋଶୀ ଦେଶଗୁଡିକ ଭଲ ସ୍ଥିତିରେ ଅଛନ୍ତି । ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ନେପାଳ ଏବଂ ମିଆଁମାର ଯଥାକ୍ରମେ ୯୯, ୬୪, ୮୪, ୮୧ ଏବଂ ୭୧ ସ୍ଥାନରେ ଅଛନ୍ତି। ଦକ୍ଷିଣ ଏସୀୟ ଦେଶ ମଧ୍ୟରେ କେବଳ ତାଲିବାନ ଶାସିତ ଆଫଗାନିସ୍ତାନ ହିଁ ଭାରତ ପଛରେ ରହିଛି । ଗତବର୍ଷ ବି କ୍ଷୁଧା ତାଲିକାରେ ଭାରତ ପଛରେ ରହିଥିଲା । ସେତେବେଳେ କେନ୍ଦ୍ର ସରକାର ଏହି ତାଲିକାକୁ ତ୍ରୁଟିପୂର୍ଣ୍ଣ ବୋଲି କହି ପ୍ରତ୍ୟାଖ୍ୟାନ କରିଥିଲେ।

କ୍ଷୁଧା ସୂଚକାଙ୍କ ରିପୋର୍ଟ ନେଇ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ୍ କହିଛନ୍ତି ଯେ ମୋଦୀ ସରକାରଙ୍କ ଆଠ ବର୍ଷ ଶାସନ ମଧ୍ୟରେ ୨୦୧୪ ମସିହାରୁ ଭାରତର ସ୍କୋର ଖରାପ ହୋଇଛି। ଚିଦାମ୍ବରମ୍ ଏକ ଟୁଇଟ୍‌ରେ କହିଛନ୍ତି, ” ହିନ୍ଦୁତ୍ୱ, ହିନ୍ଦୀ ଲଦିବା ଏବଂ ଘୃଣା ପ୍ରସାର କରିବା କ୍ଷୁଧାର ସମାଧାନ ନୁହେଁ । ଚିଦାମ୍ବରମଙ୍କ ପୁଅ ତଥା ଲୋକସଭା ସଦସ୍ୟ କାର୍ତ୍ତି ଚିଦାମ୍ବରମ୍ ମଧ୍ୟ ଟୁଇଟ୍ କରି କହିଛନ୍ତି, ବିଜେପି ସରକାର ଏହି ସୂଚକାଙ୍କକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିବେ ଏବଂ ଏପରି ସର୍ଭେ କରୁଥିବା ସଂଗଠନ ଉପରେ ରେଡ୍ କରିବେ।

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ପାଞ୍ଚ ଟ୍ରିଲିୟନ ଅର୍ଥନୀତି ସୃଷ୍ଟି କରିବା ପାଇଁ ବିଜେପି ଭାଷଣ ଦଉଛି । କିନ୍ତୁ ୧୦୬ ଟି ଦେଶ ନିଜ ନାଗରିକଙ୍କୁ ଦିନକୁ ଦୁଇଥର ଖାଦ୍ୟ ଯୋଗାଇବାରେ ଆମଠାରୁ ଭଲ ସ୍ଥିତିରେ ଅଛନ୍ତି । ହିନ୍ଦୀରେ ଏକ ଟୁଇଟ୍ କରି ସେ କହିଛନ୍ତି ଯେ ପ୍ରତ୍ୟେକ ପିଲାଙ୍କୁ ଭଲ ଶିକ୍ଷା ନ ଦେଇ ଭାରତ ଏକ ନମ୍ବର ହୋଇପାରିବ ନାହିଁ।