ଦରବୃଦ୍ଧି ବେଲଗାମ, ୮ ବର୍ଷର ରେକର୍ଡ ଭାଙ୍ଗିଲା ଖୁଚୁରା ମୁଦ୍ରାସ୍ଫୀତି | News Room Odisha

ଦରବୃଦ୍ଧି ବେଲଗାମ, ୮ ବର୍ଷର ରେକର୍ଡ ଭାଙ୍ଗିଲା ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ରନ୍ଧନ ଗ୍ୟାସ ସହ ପେଟ୍ରୋଲ-ଡିଜେଲ୍ ଏବଂ ଖାଦ୍ୟ ସାମଗ୍ରୀର କ୍ରମାଗତ ଦରବୃଦ୍ଧି ଯୋଗୁଁ ଖୁଚୁରା ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ଗତ ୮ ବର୍ଷର ରେକର୍ଡ ଭାଙ୍ଗିଛି। ଗୁରୁବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଏପ୍ରିଲ ମାସରେ ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ୭.୭୯% କୁ ବୃଦ୍ଧି ପାଇଛି | ଇନ୍ଧନ ମୂଲ୍ୟ ଏବଂ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଯୋଗୁଁ ମୁଦ୍ରାସ୍ଫୀତି ହାରରେ ଅହେତୁକ ବୃଦ୍ଧି ଘଟିଛି | କ୍ରମାଗତ ଚତୁର୍ଥ ମାସ ପାଇଁ ଖାଉଟି ମୂଲ୍ୟ ଭିତ୍ତିକ ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର (ଆରବିଆଇ) ଧାର୍ଯ୍ୟ ସୀମା ଠାରୁ ଅଧିକ ରହିଛି । ସିପିଆଇ ଭିତ୍ତିକ ମୁଦ୍ରାସ୍ଫୀତି ଚଳିତ ବର୍ଷ ମାର୍ଚ୍ଚରେ ୬.୯୫ ପ୍ରତିଶତ ଥିଲା । ହେଲେ ଏପ୍ରିଲରେ ଏହା ୭.୭୯%ରେ ପହଞ୍ଚିଛି । ଖାଦ୍ୟ ମୁଦ୍ରାସ୍ଫୀତି ହାର ମାର୍ଚ୍ଚରେ ୭.୬୮ ପ୍ରତିଶତରୁ ଏପ୍ରିଲରେ ୮.୩୮ ପ୍ରତିଶତକୁ ବୃଦ୍ଧି ପାଇଛି।

ରେକର୍ଡ ଭାଙ୍ଗୁଥିବା ମୁଦ୍ରାସ୍ଫୀତି ମଧ୍ୟରେ ଆରବିଆଇ ଗତ ସପ୍ତାହରେ ଚାରି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରେପୋ ରେଟ୍ ବଢ଼ାଇବାକୁ ଘୋଷଣା କରିଥିଲା। ରେପୋ ରେଟକୁ ୪୦ ବେସିସ୍ ପଏଣ୍ଟ (ବିପିଏସ୍) ବୃଦ୍ଧି କରି ୪.୪୦ ପ୍ରତିଶତ ରଖିଥିଲା ଆରବିଆଇ | ହଠାତ୍ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆରବିଆଇ ଏହି ବିଷୟରେ ସୂଚନା ଦେଇଥିଲା।
ଗତ କିଛି ମାସ ଧରି ଲଗାତାର ଭାବେ ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ ଏବଂ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ସାଧାରଣ ଲୋକଙ୍କ ବଜେଟ୍ ବିଗାଡି ଦେଇଛି । ଏହାଛଡ଼ା ଆମେରିକା ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ପାଇବା ମଧ୍ୟ ଚିନ୍ତା ବଢ଼ାଇଛି ।