ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ରେକର୍ଡ ୧୫ ଥର ଆସିଥିଲା ଅନାସ୍ଥା ପ୍ରସ୍ତାବ, ମନମୋହନ ସିଂଙ୍କ ବିରୋଧରେ ଥରେ ବି ନୁହେଁ | News Room Odisha

ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ରେକର୍ଡ ୧୫ ଥର ଆସିଥିଲା ଅନାସ୍ଥା ପ୍ରସ୍ତାବ, ମନମୋହନ ସିଂଙ୍କ ବିରୋଧରେ ଥରେ ବି ନୁହେଁ

ନୂଆଦିଲ୍ଲୀ: ମଣିପୁର ହିଂସା ପ୍ରସଙ୍ଗରେ ସଂସଦରେ ଚାଲିଥିବା ଗତିରୋଧ ମଧ୍ୟରେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ବୁଧବାର (ଜୁଲାଇ ୨୬) ଲୋକସଭାରେ ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଏହା ଉପରେ ଆଲୋଚନା ପାଇଁ ବାଚସ୍ପତି ମଧ୍ୟ ମଞ୍ଜୁରି ପ୍ରଦାନ କରିଛନ୍ତି । ଗତ ୯ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୋଦୀ ସରକାର ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବେ।

ଭାରତୀୟ ସଂସଦର ଇତିହାସରେ ମୋଟ ୨୭ ଥର ଆଣାଯାଇଛି ଅନାସ୍ଥା ପ୍ରସ୍ତାବ । ଇନ୍ଦିରା ଗାନ୍ଧୀ ରେକର୍ଡ ୧୫ ଥର ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିବା ବେଳେ ଲାଲ୍ ବାହାଦୁର ଶାସ୍ତ୍ରୀ ଓ ପିଭି ନରସିଂହା ରାଓଙ୍କ ସରକାର ବିରୋଧରେ ୩ ଥର ଆସିଥିଲା ଅନାସ୍ଥା ପ୍ରସ୍ତାବ । ମୋରାରଜୀ ଦେଶାଇ ଓ ଅଟଳ ବିହାରୀ ବାଜପେୟୀ ଦୁଇଥର ଆଗତ ହୋଇଥିଲା ଅବିଶ୍ବାସ ପ୍ରସ୍ତାବ ।

ଲୋକସଭା ଇତିହାସରେ ସର୍ବପ୍ରଥମେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ବିରୋଧରେ ଆସିଥିଲା ଅନାସ୍ଥା ପ୍ରସ୍ତାବ । ୧୯୬୩ ମସିହାରେ ଆଚାର୍ଯ୍ୟ କୃପାଲାନି ଏହି ଅନାସ୍ଥା ପ୍ରସ୍ତାବ ଆଣିଥିଲେ | ଏହି ପ୍ରସ୍ତାବ ସପକ୍ଷରେ ୬୨ ଭୋଟ୍ ପଡ଼ିଥିବା ବେଳେ ଏହା ବିରୋଧରେ ୩୪୭ ଭୋଟ୍ ପଡ଼ିଥିଲା।

ଏହା ପରେ ଇନ୍ଦିରା ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ସହ ଅନେକ ପ୍ରଧାନମନ୍ତ୍ରୀଙ୍କୁ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆସ୍ଥା ଭୋଟରେ ପରାଜୟ ଯୋଗୁଁ ତିନିଜଣ ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।

ଅନାସ୍ଥା ପ୍ରସ୍ତାବ ଯୋଗୁଁ ୧୯୯୦ରେ ଭିପି ସିଂହ, ୧୯୯୭ରେ ଏଚଡି ଦେବବେଗୌଡା ଏବଂ ୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଭାଙ୍ଗି ଯାଇଥିଲା । ନଭେମ୍ବର ୧୯୯୦ରେ ଭିପି ସିଂହଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । ସେତେବେଳେ ରାମ ମନ୍ଦିର ପ୍ରସଙ୍ଗରେ ଭିପି ସିଂହ ସରକାରଙ୍କ ଠାରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିନେଇଥିଲା। ଏହି ପ୍ରସ୍ତାବ ସପକ୍ଷରେ ୩୪୬ ଭୋଟ୍ ଓ ବିପକ୍ଷରେ ୧୪୨ ଭୋଟ୍ ପଡ଼ିଥିଲା।

୧୯୯୭ ମସିହାରେ ଏଚଡି ଦେବବେଗୌଡାଙ୍କ ବିରୋଧରେ ଆସିଥିବା ପ୍ରସ୍ତାବରେ ୨୯୨ ସାଂସଦ ସରକାରଙ୍କ ବିରୋଧରେ ଭୋଟ୍ ଦେଇଥିଲେ। କେବଳ ୧୫୮ ସାଂସଦ ସରକାରଙ୍କୁ ସମର୍ଥନ କରିଥିଲେ। ଏଆଇଏଡିଏମକେ ସମର୍ଥନ ପ୍ରତ୍ୟାହାର କରିନେବାରୁ ୧୭ ଏପ୍ରିଲ ୧୯୯୯ରେ ଅଟଳ ବିହାରୀ ବାଜପେୟୀ ସରକାର ମାତ୍ର ଗୋଟିଏ ଭୋଟରେ ହାରିଯାଇଥିଲେ ।

୨ ସେପ୍ଟେମ୍ବର ୧୯୬୪ ରେ ଏନସି ଚାଟାର୍ଜୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ୧୮ ସେପ୍ଟେମ୍ବରରେ ଏହା ଉପରେ ଭୋଟିଂ ହୋଇଥିଲା । କିନ୍ତୁ ଚାଟାର୍ଜୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସରକାରକୁ ହଟାଇବାରେ ବିଫଳ ହୋଇଥିଲେ। ଏହା ପରେ ମାର୍ଚ୍ଚ ୧୯୬୫ ଏବଂ ଅଗଷ୍ଟ ୧୯୬୫ରେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ବିରୋଧରେ ପୁଣି ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । କିନ୍ତୁ ଏଥର ମଧ୍ୟ ଏହା କାଟ୍ ଖାଇଥିଲା ।

ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ସର୍ବାଧିକ ୧୫ ଥର ଅନାସ୍ଥା ପ୍ରସ୍ତାବ ଆସିଥିଲା | ଯେତେବେଳେ ଇନ୍ଦିରା ଗାନ୍ଧୀ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ, ସେତେବେଳେ ସେ ରାଜ୍ୟସଭା ସାଂସଦ ଥିଲେ। ଅଗଷ୍ଟ ୧୯୬୬ରେ ସିପିଆଇ ସାଂସଦ ହିରେନ୍ଦ୍ରନାଥ ମୁଖାର୍ଜୀ ତାଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହାକୁ ୨୭୦ ସାଂସଦ ସମର୍ଥନ କରିଥିବାବେଳେ ୨୭୦ ସାଂସଦ ବିରୋଧ କରିଥିଲେ।

ଏହା ପରେ ନଭେମ୍ବର ୧୯୬୬ରେ ଭାରତୀୟ ଜନ ସଂଘ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ମଧ୍ୟ କାଟ୍ ଖାଇଥିଲା । ତାଙ୍କ ବିରୋଧରେ ଅଟଳ ବିହାରୀ ବାଜପେୟୀ ମଧ୍ୟ ଅନାସ୍ଥା ପ୍ରସ୍ତାବ ଆଣିଥିଲେ, କିନ୍ତୁ ସଫଳ ହୋଇନଥିଲେ।

ପୁଣି ନଭେମ୍ବର ୧୯୬୭, ଫେବୃଆରୀ ୧୯୬୮ ଏବଂ ନଭେମ୍ବର ୧୯୬୮ ରେ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା। ଏହାଛଡ଼ା ଫେବୃଆରୀ ୧୯୬୯, ଜୁଲାଇ ୧୯୭୦, ନଭେମ୍ବର ୧୯୭୩ ଏବଂ ମେ ୧୯୭୫ରେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।

ପୁଣି ମେ ୧୯୭୫, ୧୯୮୧ (ଦୁଇଥର) ଏବଂ ଅଗଷ୍ଟ ୧୯୮୨ରେ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଆସିଥିଲା ଅନାସ୍ଥା ପ୍ରସ୍ତାବ । ଥରେ ବି ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସଫଳ ହୋଇନଥିଲା। ଅନ୍ୟପକ୍ଷରେ ମୋରାରଜୀ ଦେଶାଇ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବା ବିନା ୧୯୭୯ରେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିଲେ ।

ଏହା ପରେ ଡିସେମ୍ବର ୧୯୮୭ରେ ସି.ମାଧବ ରେଡ୍ଡୀ ରାଜୀବ ଗାନ୍ଧୀଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । କିନ୍ତୁ ଏହା କାଟ୍ ଖାଇଥିଲା। ଜୁଲାଇ ୧୯୯୨ରେ ପିଭି ନରସିଂହ ରାଓଙ୍କ ବିରୋଧରେ ବିଜେପି ନେତା ଯଶୱନ୍ତ ସିଂ ଆଣିଥିଲେ ଅବିଶ୍ବାସ ପ୍ରସ୍ତାବ । ଏହା ଉପରେ ୧୭ ଜୁଲାଇ ୧୯୯୨ରେ ଭୋଟିଂ ହୋଇଥିଲା | ୨୨୫ ସାଂସଦ ଏହି ପ୍ରସ୍ତାବକୁ ସମର୍ଥନ କରିଥିବା ବେଳେ ୨୭୧ ସାଂସଦ ବିରୋଧ କରିଥିଲେ ।

ସେହି ବର୍ଷ ଡିସେମ୍ବର ମାସରେ ଅଟଳ ବିହାରୀ ବାଜପେୟୀ ପିଭି ନରସିଂହ ରାଓଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହା ଉପରେ ୨୧ ଘଣ୍ଟା ବିତର୍କ ପରେ ୧୧୧ ସାଂସଦ ଏହି ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିବାବେଳେ ୩୩୬ ସାଂସଦ ଏହାକୁ ବିରୋଧ କରିଥିଲେ । ଏହା ପରେ ପୁଣି ଜୁଲାଇ ୧୯୯୩ରେ ପିଭି ନରସିଂହ ରାଓଙ୍କୁ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବାକୁ ପଡିଥିଲା | ଏଥର ମଧ୍ୟ ସେ ବିଜୟୀ ହୋଇ ପ୍ରଧାନମନ୍ତ୍ରୀ ପଦ ବଜାୟ ରଖିଥିଲେ |

କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ୨୦୦୩ରେ ଅଟଳ ବିହାରୀ ବାଜପେୟୀଙ୍କ ବିରୋଧରେ ଆଣିଥିଲେ ଅନାସ୍ଥା ପ୍ରସ୍ତାବ । ୧୮୯ ସାଂସଦ ଏହାର ସମର୍ଥନରେ ଭୋଟ୍ ଦେଇଥିବାବେଳେ ୩୧୪ ଜଣ ଏହାକୁ ବିରୋଧ କରିଥିଲେ। ଫଳରେ ବାଜପେୟୀଙ୍କ ସରକାରଙ୍କ ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଥିଲା ‌। ଅନ୍ୟପକ୍ଷରେ ମନମୋହନ ସିଂହଙ୍କ ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ତାଙ୍କ ବିରୋଧରେ ଥରେ ବି ଅନାସ୍ଥା ପ୍ରସ୍ତାବ ଆସିନଥିଲା ।