ହରିୟାଣା ହିଂସା: ଅଗଷ୍ଟ ୫ ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ, ଅନେକ ଜିଲ୍ଲାରେ ଅର୍ଦ୍ଧସାମରିକ ବାହିନୀ ମୁତୟନ, ଶାନ୍ତି ପାଇଁ ରାହୁଲ ଗାନ୍ଧୀଙ୍କ ଅପିଲ | News Room Odisha

ହରିୟାଣା ହିଂସା: ଅଗଷ୍ଟ ୫ ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ, ଅନେକ ଜିଲ୍ଲାରେ ଅର୍ଦ୍ଧସାମରିକ ବାହିନୀ ମୁତୟନ, ଶାନ୍ତି ପାଇଁ ରାହୁଲ ଗାନ୍ଧୀଙ୍କ ଅପିଲ

ଗୁରୁଗ୍ରାମ: ହରିୟାଣାର ନୁହରେ ଘଟିଥିବା ହିଂସା ପରେ ରାଜ୍ୟର ୪ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ହିଂସା ଯୋଗୁଁ ଏପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ଜଣ ହୋମ ଗାର୍ଡ ରହିଛନ୍ତି | ରାଜ୍ୟର ୯ଟି ଜିଲ୍ଲାରେ ଧାରା ୧୪୪ ଲାଗୁ ହୋଇଛି | ବୁଧବାର ମଧ୍ୟ କିଛି ଜିଲ୍ଲାରେ ହିଂସାକାଣ୍ଡ ଘଟିଥିବାର ଖବର ଆସିଥିଲା । ଯେଉଁ କାରଣରୁ ପରିସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ନୁହ ପରେ ଗୁରୁଗ୍ରାମ ଏବଂ ପାଲୱାଲରେ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି।

ନୁହ, ଫରିଦାବାଦ, ପାଲୱାଲ ଏବଂ ଗୁରୁଗ୍ରାମ ଜିଲ୍ଲାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବା ଉପରେ ନିଷେଧାଦେଶ ଅଗଷ୍ଟ ୫ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହରିୟାଣାର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ) ଟିଭିଏସଏନ ପ୍ରସାଦ କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ହରିୟାଣାର ନୁହରେ ଘଟିଥିବା ହିଂସାକୁ ନେଇ ଚିନ୍ତା ପ୍ରକାଶ କରିବା ସହ ଶାସକ ବିଜେପି ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଏହା କେଉଁ ପ୍ରକାର ଦେଶପ୍ରେମ, ଯେଉଁଠି ଭାଇ ସହିତ ଭାଇର ଲଢ଼େଇକୁ ପ୍ରୋତ୍ସାହିତ କରାଯାଉଛି। ରାହୁଲ ଗାନ୍ଧୀ ତାଙ୍କ ଫେସବୁକ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି କହିଛନ୍ତି, ଭାରତର ବିକାଶ ପାଇଁ ଦେଶରେ ଶାନ୍ତି ରହିବା ଜରୁରୀ। ଏଥିସହ ଭାଇଚାରା ବଜାୟ ରଖିବାକୁ ସେ ଦେଶବାସୀଙ୍କୁ ଅପିଲ କରିଛନ୍ତି ‌।