ଇଞ୍ଜାମାମ ଉଲ୍ ହକଙ୍କୁ ହୃଦଘାତ | News Room Odisha

ଇଞ୍ଜାମାମ ଉଲ୍ ହକଙ୍କୁ ହୃଦଘାତ

ଲାହୋର: ପାକିସ୍ତାନର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ଇଞ୍ଜାମାମ-ଉଲ-ହକ୍ ହୃଦଘାତର ଶିକାର ହୋଇଛନ୍ତି । ତାଙ୍କୁ ଲାହୋରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ସନ୍ଧ୍ୟାରେ ଆଞ୍ଜିଓପ୍ଲାଷ୍ଟି ପରେ ଇଞ୍ଜାମାମଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଇଛି । ରିପୋର୍ଟ ଅନୁଯାୟୀ ଇଞ୍ଜାମାମ-ଉଲ-ହକ ଗତ ତିନି ଦିନ ଧରି ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ କିନ୍ତୁ ପ୍ରାରମ୍ଭିକ ଯାଞ୍ଚରେ ସେ ଠିକ୍ ଅଛନ୍ତି ବୋଲି ଡ଼ାକ୍ତର ତାଙ୍କୁ କହିଥିଲେ।

କିନ୍ତୁ ସୋମବାର ତାଙ୍କର ହୃଦଘାତ୍ ହୋଇଥିଲା, ପରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା। ଇଞ୍ଜାମାମ-ଉଲ-ହକଙ୍କ ମ୍ୟାନେଜରଙ୍କ କହିବାନୁସାରେ, ତାଙ୍କ ଅବସ୍ଥା ସ୍ଥିର ଅଛି ଏବଂ ସେ ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି |

ଇଞ୍ଜାମାମ କିଛି ମାସ ତଳେ ପାକିସ୍ତାନୀ ଦଳର ବ୍ୟାଟିଂ ପରାମର୍ଶଦାତା ତଥା ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ଵ ତୁଲାଇଥିଲେ । ତାଙ୍କ ହୃଦଘାତର ଖବର ଆସିବା ପରେ କ୍ରିକେଟ୍ ଜଗତ ତାଙ୍କ ଆରୋଗ୍ୟ କାମନା କରିଛି। ଉଭୟ ଭାରତ ଏବଂ ପାକିସ୍ତାନର ପ୍ରଶଂସକମାନେ ମଧ୍ୟ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।

୫୧ ବର୍ଷୀୟ ଇଞ୍ଜାମାମ ଏକମାତ୍ର ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଯିଏକି ଦିନିକିଆ କ୍ରିକେଟ୍ ରେ ୧୦,୦୦୦ରୁ ଊର୍ଦ୍ଧ୍ବ ରନ୍ କରିଛନ୍ତି | ପାକିସ୍ତାନର ଏହି ପୂର୍ବତନ ଅଧିନାୟକ ମୋଟ ୩୭୫ ଟି ଦିନିକିଆରେ ୧୧୭୦୧ ରନ୍ ସଂଗ୍ରହ କରିଛନ୍ତି | ୨୦୦୭ ବିଶ୍ୱକପରେ ପାକିସ୍ତାନ ପ୍ରଥମ ରାଉଣ୍ଡରୁ ବିଦାୟ ନେବା ପରେ ସେହିବର୍ଷ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ।