ଭାରତୀୟ କୁସ୍ତିଯୋଦ୍ଧାଙ୍କୁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ବି ଜଣାଇଲା ସମର୍ଥନ, ପୋଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା | News Room Odisha

ଭାରତୀୟ କୁସ୍ତିଯୋଦ୍ଧାଙ୍କୁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ବି ଜଣାଇଲା ସମର୍ଥନ, ପୋଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା

ନୂଆଦିଲ୍ଲୀ: ଯୌନ ନିର୍ଯାତନା ଅଭିଯୋଗ ନେଇ ବିଜେପି ସାଂସଦ ବ୍ରଜଭୂଷଣଙ୍କ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ଭାରତୀୟ କୁସ୍ତିଯୋଦ୍ଧାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ସମର୍ଥନ ବଢ଼ିବାରେ ଲାଗିଛି ‌‌। ବିଶ୍ବ କୁସ୍ତି ସଂଘ ପରେ ଏବେ ବିଶ୍ବର ସବୁଠୁ ବଡ଼ କ୍ରୀଡ଼ା ସଂଗଠନ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ମଧ୍ୟ ଭାରତୀୟ ରେସଲରଙ୍କ ମାମଲାରେ ହସ୍ତକ୍ଷେପ କରିଛି । ଆଇଓସି ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇବା ସହ ନିକଟରେ ସେମାନଙ୍କ ପ୍ରତି ପୋଲିସର ଦୁର୍ବ୍ୟବହାରକୁ କଡ଼ା ନିନ୍ଦା କରିଛି ।

ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ)ର ବିଦାୟୀ ସଭାପତି ବ୍ରଜ ଭୂଷଣ ଶରଣ ସିଂହଙ୍କୁ ଗିରଫ କରିବାକୁ ଦାବି କରି ଭାରତର ଷ୍ଟାର କୁସ୍ତିଯୋଦ୍ଧାମାନେ ଗତ ଏକ ମାସ ଧରି ବିକ୍ଷୋଭ କରୁଛନ୍ତି। ଏମାନଙ୍କ ମଧ୍ୟରେ ବିନେଶ ଫୋଗାଟ, ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆଙ୍କ ଭଳି ଅଲିମ୍ପିକ୍ ଓ ବିଶ୍ବ ଚାମ୍ପିୟନସିପ୍ ପଦକ ବିଜେତା ରେସଲର ଅଛନ୍ତି।

ଏହି ପ୍ରସଙ୍ଗରେ ଆଇଓସି ଏକ ବିବୃତ୍ତିରେ କହିଛି, ନିକଟରେ ଭାରତୀୟ କୁସ୍ତିଯୋଦ୍ଧାଙ୍କ ସହ ହୋଇଥିବା ଦୁର୍ବ୍ୟବହାର ଆମକୁ ଗଭୀର ଭାବେ ବିବ୍ରତ କରିଥିଲା।

କୁସ୍ତିଯୋଦ୍ଧା କରିଥିଡା ଅଭିଯୋଗର ନିରପେକ୍ଷ ଓ ସଠିକ୍ ତଦନ୍ତ କରାଯିବା ଉଚିତ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) କହିଛି। ଏହାଛଡ଼ା ଖେଳାଳିଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ମଧ୍ୟ କହିଛି ଆଇଓସି ।

ବିଶ୍ବ କୁସ୍ତି ସଂଘ ‘ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (ୟୁଡବ୍ଲୁଡବ୍ଲୁ)’ ମଧ୍ୟ ଭାରତୀୟ କୁସ୍ତିଯୋଦ୍ଧାଙ୍କ ବିରୋଧରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଥିଲା । ବ୍ରଜଭୂଷଣଙ୍କ ବିରୋଧରେ କୁସ୍ତିଯୋଦ୍ଧା ଆଣିଥିବା ଅଭିଯୋଗର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଥିଲା ୟୁଡବ୍ଲୁଡବ୍ଲୁ।