ଆଜିଠୁ ଆଇପିଏଲ୍: ସିଏସ୍‌କେ-ଆର୍‌ସିବି ଉଦଘାଟନୀ ଲଢ଼େଇ | News Room Odisha

ଆଜିଠୁ ଆଇପିଏଲ୍: ସିଏସ୍‌କେ-ଆର୍‌ସିବି ଉଦଘାଟନୀ ଲଢ଼େଇ

ଚେନ୍ନାଇ: ବିଶ୍ୱର ସବୁଠାରୁ ଲୋକପ୍ରିୟ ତଥା ଧନୀ କ୍ରିକେଟ ଲିଗ୍ ଆଇପିଏଲର ୧୭ତମ ସଂସ୍କରଣ ଶୁକ୍ରବାର ଠାରୁ ଆରମ୍ଭ ହେଉଛି । ଚେନ୍ନାଇର ଏମ୍. ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବାକୁ ଥ‌ିବା ଉଦ୍‌ଘାଟନୀ ମ୍ୟାଚରେ ରୟାଲ ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର କିଙ୍ଗ୍(ସିଏସ୍‌କେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ମୁହାଁମୁହିଁ ହେବେ । ଆସିବି ଟାଇଟଲ ମରୁଡ଼ିର ଅନ୍ତ ଘଟାଇବାକୁ ଲକ୍ଷ୍ୟ ରଖିଛି।

ଅନ୍ୟପକ୍ଷରେ ୫ ଟ୍ରଫି ସହ ଆଇପିଏଲ୍ ଇତିହାସର ସଫଳ ଦଳ ଚେନ୍ନାଇ ମଧ୍ୟ ନିଜର ଅଭିଯାନ ଆରମ୍ଭ କରିବ। ଆଇପିଏଲ୍ ଉଦ୍‌ଘାଟନୀ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ମହେନ୍ଦ୍ର ସିଂ ଧୋନୀ ଅଧିନାୟକ ପଦ ଛାଡ଼ିବା ସହିତ ଋତୁରାଜ ଗାଏକ୍ୱାଡ୍‌ଙ୍କୁ ଦଳର ନେତୃତ୍ୱ ହସ୍ତାନ୍ତର କରିଛନ୍ତି। ଧୋନୀଙ୍କ ପରାମର୍ଶରେ ଗାଏକ୍ଵାଡ୍ ସିଜନର ସଫଳ ଆରମ୍ଭ ପାଇଁ ଚେଷ୍ଟା କରିବେ। ଅନ୍ୟପକ୍ଷରେ ମହିଳା ପ୍ରିମିୟର ଲିଗ୍‌ରେ ପ୍ରଥମ ଟାଇଟଲ ଜିତିଥିବା ଆର୍‌ସିବି ଆଇପିଏଲ୍‌ରେ ପୁରୁଷ ଦଳ ସହ ସମାନ ସଫଳତା ହାସଲ କରିବାକୁ ପ୍ରୟାସ କରିବ।

ଧୋନୀଙ୍କ ଭୂମିକା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିବା ବେଳେ ସେ ଚଳିତ ସିଜନ ଶେଷରେ ଅବସର ନେବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ତେଣୁ ଆଉ ଏକ ଟାଇଟଲ ସହିତ ଆଇପିଏଲ୍‌ର ଶ୍ରେଷ୍ଠ ଅଧିନାୟକଙ୍କୁ ବିଦାୟ ଜଣାଇବାକୁ ଚାହିଁବ ସିଏସ୍‌କେ। ଡେଭନ୍ କନ୍‌ଓ୍ବେଙ୍କ ଅନୁପସ୍ଥିତିରେ ରାଚିନ୍ ରବୀନ୍ଦ୍ରଙ୍କୁ ଟପ୍ ଅର୍ଡରରେ ଦେଖ‌ିବାକୁ ମିଳିବ। ଅନ୍ୟତମ ନ୍ୟୁଜିଲାଣ୍ଡ ଖେଳାଳି ଡାରିଲ୍ ମିଚେଲ୍‌ଙ୍କୁ ମଧ୍ୟକ୍ରମରେ ଦେଖିବାକୁ ମିଳିପାରେ। ସେହିପରି ଗତ ସିଜନର ଷ୍ଟାର ଅଜିଙ୍କା ରାହାନେଙ୍କ ଅଭିଜ୍ଞତା ଓ ଋତୁରାଜ
ଗାଏକ୍ୱାଡ୍‌ଙ୍କ ଅଧିନାୟକତ୍ଵରୁ ଫାଇଦା ନେବାକୁ ପ୍ରୟାସ କରିବ ।

ପ୍ରଥମ ଟାଇଟଲ୍‌ ଲକ୍ଷ୍ୟରେ ଥ‌ିବା ଆଇପିଏଲ୍ ଫ୍ରାଞ୍ଚାଇଜି ଆର୍‌ସିବି ପାଇଁ ଆଶାର କିରଣ ରହିବେ ଅଧ୍ଵନାୟକ ଫାଫ୍ ଡୁ ପ୍ଲେସି ଓ ବିରାଟ କୋହଲି। ଉଭୟ ଖେଳାଳି ଦୁଇ ମାସର ବ୍ରେକ୍ ପରେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଚମତ୍କାର ଇନିଂସ ଆଶା କରିବେ ଫ୍ୟାନ୍‌। ସେହିପରି କାମେରନ୍ ଗ୍ରୀନ୍ ଓ ଗ୍ଲେନ୍ ମ୍ୟାକ୍ସୱେଲ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। ଚଳିତ ସିଜନରେ ଆର୍‌ସିବିର ପେସ୍ ବୋଲିଂ କିନ୍ତୁ ବେଶ୍ ଶକ୍ତିଶାଳୀ ରହିଛି। ମହମ୍ମଦ ସିରାଜଙ୍କ ନେତୃତ୍ବରେ ଲୋକି ଫର୍ଗୁସନ, ଆଲଜାରି ଯୋଶେଫ, ଆକାଶ ଦୀପ ଓ ରିସି ଟପ୍‌ଙ୍କ ପରି ଖେଳାଳି ରହିଛନ୍ତି।