୪୮, ୩୯୦ କୋଟିରେ ବିକ୍ରି ହେଲା ଆଇପିଏଲ୍ ମିଡ଼ିଆ ରାଇଟ୍ସ, ଡିସନୀ ଷ୍ଟାର୍ ବଜାୟ ରଖିଲା ଟିଭି ଅଧିକାର, ଭାୟାକମ୍‌୧୮କୁ ଡିଜିଟାଲ | News Room Odisha

୪୮, ୩୯୦ କୋଟିରେ ବିକ୍ରି ହେଲା ଆଇପିଏଲ୍ ମିଡ଼ିଆ ରାଇଟ୍ସ, ଡିସନୀ ଷ୍ଟାର୍ ବଜାୟ ରଖିଲା ଟିଭି ଅଧିକାର, ଭାୟାକମ୍‌୧୮କୁ ଡିଜିଟାଲ

ନୂଆଦିଲ୍ଲୀ: ରେକର୍ଡ ମୂଲ୍ୟରେ ବିକ୍ରି ହୋଇଛି ଆଇପିଏଲ୍ ମିଡ଼ିଆ ଅଧିକାର । ଆସନ୍ତା ପାଞ୍ଚ ବର୍ଷ (୨୦୨୩-୨୦୨୭) ପାଇଁ ଆଇପିଏଲ୍ ମିଡ଼ିଆ ଅଧିକାର ଅବିଶ୍ୱସନୀୟ ୪୮,୩୯୦ କୋଟିରେ ବିକ୍ରି ହୋଇଛି । ଏହି ରେକର୍ଡ ଆଇପିଏଲ୍ ଡିଲ୍ ସହ ବିଶ୍ୱର ଧନି ବୋର୍ଡ ବିସିସିଆଇ ଆହୁରି ମାଲାମାଲ୍ ହୋଇଛି । କ୍ରିକେଟ୍ ଖେଳର ଇତିହାସରେ ଏହା ହେଉଛି ସବୁଠୁ ବଡ଼ ଡିଲ୍ । ଡିସନୀ ଷ୍ଟାର ଟିଭି ଅଧିକାର ବଜାୟ ରଖିଥିବା ବେଳେ ଭୟାକମ୍‌୧୮ ଡିଜିଟାଲ ପ୍ରସାରଣ ଅଧିକାର ହାତେଇଛି । ଡିସନୀ ଷ୍ଟାର ୨୩,୫୭୫ କୋଟି ମୂଲ୍ୟରେ ଭାରତୀୟ ଉପମହାଦେଶ ପାଇଁ ଟିଭି ଅଧିକାର (ପ୍ୟାକେଜ୍‌-ଏ) ହାସଲ କରିଛି । ଅନ୍ୟପକ୍ଷରେ ଭୟାକମ୍‌୧୮ ୨୦,୫୦୦ କୋଟି ମୂଲ୍ୟରେ ଡିଜିଟାଲ ଅଧିକାର (ପ୍ୟାକେଜ୍‌-ବି) ଜିତିଛି । ଏହାଛଡ଼ା ଭୟାକମ୍‌୧୮ ଆଉ ଏକ ନନ୍‌-ଏକ୍ସକ୍ଲୁଜିଭ୍ ପ୍ୟାକେଜ୍ ‘ସି’କୁ ମଧ୍ୟ ୨୯୯୧ କୋଟି ହାତେଇଛି । ପ୍ୟାକେଜ୍ ‘ଡି (ବିଦେଶରେ ପ୍ରସାରଣ ପାଇଁ)’ ଅଧିକାର ଟାଇମ୍ସ ଇଣ୍ଟରନେଟ୍ ୧୩୦୦ କୋଟିରେ କିଣିଛି ।

ପ୍ୟାକେଜ୍ ‘ଏ’ ଓ ‘ବି’ ଲାଗି ଏହି ରେକର୍ଡ ଡିଲ୍ ଆସନ୍ତା ପାଞ୍ଚ ବର୍ଷର ୪୧୦ଟି ଆଇପିଏଲ୍ ମ୍ୟାଚ୍ ପାଇଁ ଉଦ୍ଦିଷ୍ଟ । ଏଥିମଧ୍ୟରୁ ୨୦୨୩ ଓ ୨୦୨୪ ସିଜନରେ ୭୪ଟି ଲେଖାଏଁ ମ୍ୟାଚ୍ ରହିଥିବା ବେଳେ ୨୦୨୫ ସଂସ୍କରଣ ପାଇଁ ୮୪ଟି ମ୍ୟାଚ୍ ରହିଛି । ଏହାଛଡ଼ା ୨୦୨୬ ଓ ୨୦୨୭ ସିଜନ୍ ପାଇଁ ୯୪ଟି ମ୍ୟାଚ୍ ଲାଗି ଏହି ଡିଲ୍ ହୋଇଛି ।

ଆଇପିଏଲ୍ ମିଡ଼ିଆ ଅଧିକାର ପାଇଁ ପ୍ରାୟ ଅଢେଇ ଦିନ ଧରି ଚାଲିଥିବା ଇ-ନିଲାମ ମଙ୍ଗଳବାର ଶେଷ ହେବା ପରେ ବିସିସିଆଇ ସଚିବ ଜୟ ଶାହା ବିଜେତାଙ୍କ ନାମ ଘୋଷଣା କରିଛନ୍ତି । ସେ କହିଛନ୍ତି ୪୮,୩୯୦ କୋଟିରେ ଆଇପିଏଲ୍ ପ୍ରସାରଣ ଅଧିକାର ବିକ୍ରି ହେବା ଭାରତୀୟ କ୍ରିକେଟ୍ ପାଇଁ ଏକ ରେଖାଙ୍କିତ ଦିନ । ଏଥିସହ ଆଇପିଏଲ୍ ବିଶ୍ୱର ଦ୍ୱିତୀୟ ମୂଲ୍ୟବାନ ଲିଗ୍ ହୋଇପାରିଛି ।

ଆଇପିଏଲର ଟିଭି ଓ ମିଡ଼ିଆ ଅଧିକାର ମୂଲ୍ୟରୁ ଏହି ଟି୨୦ ଲିଗ୍ ଆମେରିକାର ନ୍ୟାସନାଲ ଫୁଟବଲ ଲିଗ୍ ପରେ ଦ୍ୱିତୀୟ ସର୍ବାଧିକ ମୂଲ୍ୟବନ କ୍ରୀଡ଼ା ସମ୍ପତ୍ତି ସାବ୍ୟସ୍ତ ହୋଇଛି । ଆଇପିଏଲ ନୂଆ ମିଡ଼ିଆ ଅଧିକାର ମୂଲ୍ୟ ହିସାବରେ ଏହି ଲିଗର ପ୍ରତ୍ୟକ ମ୍ୟାଚର ଦର ହେଉଛି ୧୦୭ କୋଟି ଟଙ୍କା ।
ଆଇପିଏଲ୍ ମିଡ଼ିଆ ଅଧିକାର ମୂଲ୍ୟ ଗତଥର ଅପେକ୍ଷା ତିନି ଗୁଣ ଅଧିକ । ୨୦୧୭ରେ ଷ୍ଟାର ଇଣ୍ଡିଆ ୧୬,୩୪୭ କୋଟିରେ ଉଭୟ ଟିଭି ଓ ଡିଜିଟାଲ ଅଧିକାର ହାତେଇଥିଲା । ଏଥର ଭାୟାକମ୍‌୧୮ ଡିଜିଟାଲ ଅଧିକାର ହାତେଇବା ସହ ଏହି ପ୍ଲାଟଫର୍ମରେ ଷ୍ଟାର ଇଣ୍ଡିଆର ଏକଚାଟିଆ ପ୍ରାଧାନ୍ୟକୁ ଶେଷ କରିଛି । ଆଇପିଏଲର ବ୍ରାଣ୍ଡ ମୂଲ୍ୟ କ୍ରମାଗତ ବଢି ଚାଲିଛି । ଏହି ଲିଗର ଗତ ୧୫ ବର୍ଷର ମିଡ଼ିଆ ଅଧିକାର ମୂଲ୍ୟରୁ ଏହା ସ୍ପଷ୍ଟ ହୋଇଛି । ଆଇପିଏଲର ପ୍ରଥମ ୧୦ ବର୍ଷ ମିଡ଼ିଆ ଅଧିକାର ସୋନି ମାତ୍ର ୮୨୦୦ କୋଟିରେ କିଣିଥିଲା । ଏହାପରେ ଷ୍ଟାର ଇଣ୍ଡିଆ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଆଇପିଏଲ୍ ମିଡିଆ ଅଧିକାର ୧୬,୩୪୭ କୋଟିରେ ହାତେଇଥିଲା । ଏବେ ଆଇପିଏଲର ଉଭୟ ଟିଭି ଓ ଡିଜିଟାଲ ଅଧିକାର ୪୮,୩୯୦ କୋଟିରେ ବିକ୍ରି ହୋଇଛି ।