ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ଆଇପିଏଲ୍ | News Room Odisha

ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ଆଇପିଏଲ୍

ନୂଆଦିଲ୍ଲୀ: ଆଇପିଏଲର ୧୫ତମ ସଂସ୍କରଣ ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ଏବଂ ଭାରତରେ ଅନୁଷ୍ଠିତ ହେବ । ଏଥର ଏହି ଲିଗ୍ ୧୦ଟି ଟିମକୁ ନେଇ ଅନୁଷ୍ଠିତ ହେବ । ମାର୍ଚ୍ଚ ୨୬ରୁ ମେ ୨୯ ଯାଏଁ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ । ଏହାଛଡ଼ା ଷ୍ଟାଡିୟମରେ ୪୦ ପ୍ରତିଶତ ଦର୍ଶକଙ୍କୁ ମଧ୍ୟ ଅନୁମତି ଦିଆଯିବ । ଗୁରୁବାର ଅନୁଷ୍ଠିତ ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏଥର ଦୁଇ ନୂଆ ଦଳ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଏବଂ ଗୁଜରାଟ ଟାଇଟନ୍ସ ଆଇପିଏଲରେ ପଦାର୍ପଣ କରିବେ । ଫଳରେ ୧୫ତମ ସଂସ୍କରଣରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ଲିଗ୍ ମ୍ୟାଚ୍ ଗୁଡ଼ିକ ମୁମ୍ବାଇର ୱାଙ୍ଖେଡେ, ବ୍ରାବୋର୍ଣ୍ଣ ଷ୍ଟାଡିୟମ୍ ଓ ନବି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ ସହ ପୁଣେର ଗାହୁଞ୍ଜେ ଷ୍ଟାଡିୟମରେ ଖେଳାଯିବ ।

ଜଣେ ଅଧିକାରୀ କହିଛନ୍ତି ଯେ, ପ୍ରାରମ୍ଭିକ ମ୍ୟାଚ୍ ଗୁଡ଼ିକରେ ମହାରାଷ୍ଟ୍ର ସରକାରଙ୍କ କୋଭିଡ୍ ଗାଇଡ ଲାଇନ୍ ମୁତାବକ ୪୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯିବ । ଯଦି କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ରହେ ବା ସଂକ୍ରମଣ ଆହୁରି ହ୍ରାସ ପାଏ ତେବେ ଶେଷ ପର୍ଯ୍ୟାୟରେ ଶତ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯିବା ଉପରେ ବିଚାର କରାଯିବ ।

ଆଇପିଏଲ୍‌-୧୫ର ପ୍ଲେ ଅଫ୍ ଓ ଫାଇନାଲ ମ୍ୟାଚ୍ ଭେନ୍ୟୁ ଉପରେ ନିଷ୍ପତ୍ତି ହୋଇନାହିଁ । ତେବେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବା ସମ୍ଭାବନା ରହିଛି ।