ଡ୍ରୋନ୍ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଇରାକ୍ ପ୍ରଧାନମନ୍ତ୍ରୀ | News Room Odisha

ଡ୍ରୋନ୍ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଇରାକ୍ ପ୍ରଧାନମନ୍ତ୍ରୀ

ବାଗଦାଦ୍: ଇରାକର ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ-କାଦ୍ଧିମି ବାସଭବନ ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି। ଇରାକ ପ୍ରଧାନମନ୍ତ୍ରୀ କାଦିମି ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଇରାକ ପ୍ରଧାନମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ଆମେରିକା ଦୃଢ ନିନ୍ଦା କରିଛି। ଆମେରିକା କହିଛି ଯେ ଏହା ଏକ ଆତଙ୍କବାଦୀ କାର୍ଯ୍ୟ ବୋଲି ସ୍ପଷ୍ଟ ଜଣାପଡୁଛି।
ବାଗଦାଦର ଗ୍ରୀନ୍ ଜୋନ୍ ରେ ଥିବା ତାଙ୍କ ବାସଭବନରେ ଆକ୍ରମଣ ପରେ ଶାନ୍ତି ବଜାୟ ରଖିବାକୁ ଇରାକ ପ୍ରଧାନମନ୍ତ୍ରୀ ଅଲ-କାଦ୍ଧିମି ଦେଶର ଲୋକଙ୍କୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଆକ୍ରମଣକୁ ଏକ ବିଫଳ ହତ୍ୟା ଉଦ୍ୟମ ବୋଲି କହିଛି।

ସୁରକ୍ଷା ବ୍ୟବସ୍ଥା ସହିତ ସଜ୍ଜିତ ଗ୍ରୀନ୍ ଜୋନ୍ ରେ ହୋଇଥିବା ଆକ୍ରମଣକୁ ଏକ ଉଚ୍ଚ ସ୍ତରୀୟ ସୂତ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆମେରିକାର ଦୂତାବାସ ମଧ୍ୟ ଏହି ଅଞ୍ଚଳରେ ଅବସ୍ଥିତ | ଗ୍ରୀନ୍ ଜୋନ୍ ପ୍ରାୟତଃ ରକେଟ୍ ଆକ୍ରମଣ ଦ୍ୱାରା ଟାର୍ଗେଟ୍ ହୋଇଥାଏ |

ସୁରକ୍ଷା ସୂତ୍ର ଅନୁଯାୟୀ, ଆକ୍ରମଣ ପରେ ଗ୍ରୀନ୍ ଜୋନ୍ ଏବଂ ଏହାର ଆଖପାଖରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଏହି ଆକ୍ରମଣ ଏପରି ଏକ ସମୟରେ ହୋଇଛି ଯେତେବେଳେ ଗତ ମାସରେ ଆସିଥିବା ନିର୍ବାଚନ ଫଳାଫଳକୁ ନେଇ ଇରାକରେ ରାଜନୈତିକ ତିକ୍ତତା ବଢୁଛି।