ଟି-୨୦ ବିଶ୍ୱକପ: ଦୁଇଥର ଚାମ୍ପିଅନ୍ ୱେଷ୍ଟଇଣ୍ଡିଜକୁ ବିଦା କରି ସୁପର -୧୨ରେ ଆୟର୍ଲାଣ୍ଡ | News Room Odisha

ଟି-୨୦ ବିଶ୍ୱକପ: ଦୁଇଥର ଚାମ୍ପିଅନ୍ ୱେଷ୍ଟଇଣ୍ଡିଜକୁ ବିଦା କରି ସୁପର -୧୨ରେ ଆୟର୍ଲାଣ୍ଡ

ହୋବାର୍ଟ: ଦୁଇଥର ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍ ଟି-୨୦ ବିଶ୍ୱକପ ମୁଖ୍ୟ ରାଉଣ୍ଡ ପାଇଁ ଯୋଗ୍ୟତା ହାସଲ କରିପାରି ନାହିଁ । ପ୍ରଥମ ରାଉଣ୍ଡର ଶେଷ ଗ୍ରୁପ୍ ମ୍ୟାଚରେ ଆୟର୍ଲାଣ୍ଡ ଠାରୁ ୯ ୱିକେଟରେ ପରାସ୍ତ ହୋଇ ଓ୍ବେଷ୍ଟଇଣ୍ଡିଜ୍ ଲଜ୍ଜାଜନକ ବିଦାୟ ନେଇଛି । ନିକୋଲାସ ପୁରାନଙ୍କ ଅଧିନାୟକତ୍ୱରେ ତୃତୀୟ ଥର ପାଇଁ ଚାମ୍ପିୟନ ହେବାର ସ୍ୱପ୍ନ ସହିତ ଅଷ୍ଟ୍ରେଲିଆରେ ପହଞ୍ଚିଥିବା ଇଣ୍ଡିଜ୍ ଦଳ ଏପରି ଯୋଗ୍ୟତା ପର୍ଯ୍ୟାୟରୁ ବିଦା ହେବ ବୋଲି ଆଶା କରିନଥିଲା । କିନ୍ତୁ ଆୟର୍ଲାଣ୍ଡ ଏହି ଓ୍ବେଷ୍ଟଇଣ୍ଡିଜକୁ ଧରାଶାୟୀ କରି ଗ୍ରୁପ-ବିରୁ ପ୍ରଥମ ଦଳ ଭାବେ ସୁପର -୧୨ରେ ନିଜ ସ୍ଥାନ ନିଶ୍ଚିତ କରିଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ୍ ୫ ଓ୍ବିକେଟ୍ ହରାଇ ମାତ୍ର ୧୪୬ ରନ୍ କରିଥିଲା । ଦଳ ପକ୍ଷରୁ ବ୍ରାଣ୍ଡନ୍ କିଙ୍ଗ ସର୍ବାଧିକ ୬୨ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ ।

୧୪୭ ରନ୍ ବିଜୟ ଲକ୍ଷ୍ୟ ଜବାବରେ ଆୟର୍ଲାଣ୍ଡ ମାତ୍ର ଗୋଟିଏ ଓ୍ବିକେଟ୍ ହରାଇ ୧୭.୧ ଓଭରରେ ମ୍ୟାଚ୍ ଜିତି ନେଇଥିଲା । ଦଳ ତରଫରୁ ପଲ୍ ଷ୍ଟର୍ଲିଙ୍ଗ ୪୮ ଟି ବଲରେ ୬ ଟି ଚୌକା ଓ ୨ଟିଛକା ସହ ଅପରାଜିତ ୬୬ ରନ୍ ସଂଗ୍ରହ କରିଥିବାବେଳେ ଟକର୍ ୩୫ ବଲରେ ଅପରାଜିତ ୪୫ ରନ୍ କରିଥିଲେ । ଅଧିନାୟକ ଆଣ୍ଡି ବଲବର୍ଣ୍ଣି ୨୩ ବଲରୁ ଦ୍ରୁତ ୩୭ ରନ୍ କରିଥିଲେ ।

ଏହି ବିଜୟ ସହ ଆୟର୍ଲାଣ୍ଡ ଗ୍ରୁପ-ବିରୁ ପ୍ରଥମ ଦଳ ଭାବେ ସୁପର -୧୨ରେ ପ୍ରବେଶ କରିଛି । ଆଜି ଏହି ଗ୍ରୁପର ଶେଷ ମ୍ୟାଚରେ ସ୍କଟଲାଣ୍ଡ-ଜିମ୍ବାଓ୍ବେ ମୁହାଁମୁହିଁ ହେବେ । ଏହି ମ୍ୟାଚର ବିଜେତା ସୁପର -୧୨କୁ ଉନ୍ନୀତ ହେବ ।