ମେନକା ଗାନ୍ଧୀଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଲା ଇସ୍କନ | News Room Odisha

ମେନକା ଗାନ୍ଧୀଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଲା ଇସ୍କନ

ନୂଆଦିଲ୍ଲୀ: ଇସ୍କନ ବିଜେପି ସାଂସଦ ମେନକା ଗାନ୍ଧୀଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଛି | ଇସ୍କନ ନିଜ ଗୋଶାଳାରୁ କଂସେଇ ମାନଙ୍କୁ ଗାଈ ଯୋଗାଣ କରୁଛି ବୋଲି ମେନକା ଗମ୍ଭୀର ଅଭିଯୋଗ କରିଥିଲେ । ଇସ୍କନ କହିଛି, ମେନକାଙ୍କ ଏପରି ଅପମାନଜନକ, ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ଅଭିଯୋଗ ଦ୍ୱାରା ଆମର ବିଶ୍ବବ୍ୟାପୀ ଭକ୍ତ, ସମର୍ଥକ ଏବଂ ଶୁଭେଚ୍ଛୁ ସମୁଦାୟ ଗଭୀର ମର୍ମାହତ ହୋଇଛନ୍ତି । ଇସ୍କନ ବିରୋଧରେ ଏପରି ବିଭ୍ରାନ୍ତିକର ପ୍ରଚାର ବିରୋଧରେ ନ୍ୟାୟ ପାଇବାକୁ ଆମେ ଯଥାସମ୍ଭବ ପ୍ରୟାସ କରିବୁ ।

ଏହାପୂର୍ବରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପ୍ରାଣୀ ଅଧିକାର କର୍ମୀ ମେନକା ଗାନ୍ଧୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେ ଏହି ଭିଡ଼ିଓରେ କହିଥିଲେ ଯେ ଇସ୍କନ ହେଉଛି ସବୁଠାରୁ ବଡ଼ ଠକ। ସେମାନେ ଅନେକ ଗୋଶାଳା ପ୍ରତିଷ୍ଠା କରିଛନ୍ତି। ଏଥିପାଇଁ ଜମି ଯୋଗାଇବା ସହ ସରକାର ସେମାନଙ୍କୁ ସବୁ ସୁବିଧା ଦେଉଛନ୍ତି । କିନ୍ତୁ ଇସ୍କନ ନିଜ ଗୋଶାଳାରେ ଥିବା ଗାଈ ମାନଙ୍କର ଉପଯୁକ୍ତ ଯତ୍ନ ନେଉ ନାହିଁ । କ୍ଷୀର ଦେଉନଥିବା ଗାଈ ଗୁଡ଼ିକୁ ସେମାନେ କଂସେଇ ମାନଙ୍କୁ ବିକି ଦିଅନ୍ତି | ଆନ୍ଧ୍ର ପ୍ରଦେଶର ଅନନ୍ତପୁରର ଏକ ଇସ୍କନ ଗୋଶାଳାର ଉଦାହରଣ ଦେଇ ମେନକା ଗାନ୍ଧୀ ଏପରି ଅଭିଯୋଗ କରିଥିଲେ ।