ଅଯୋଧ୍ୟା ରାମ ମନ୍ଦିରକୁ ଜଗିବ ଇସ୍ରାଏଲର ଆଣ୍ଟି ଡ୍ରୋନ୍ ସିଷ୍ଟମ୍, ପାଞ୍ଚ କିଲୋମିଟର ଯାଏଁ ଶତ୍ରୁଙ୍କ ଉପରେ ରଖିବ ନଜର | News Room Odisha

ଅଯୋଧ୍ୟା ରାମ ମନ୍ଦିରକୁ ଜଗିବ ଇସ୍ରାଏଲର ଆଣ୍ଟି ଡ୍ରୋନ୍ ସିଷ୍ଟମ୍, ପାଞ୍ଚ କିଲୋମିଟର ଯାଏଁ ଶତ୍ରୁଙ୍କ ଉପରେ ରଖିବ ନଜର

ଲକ୍ଷ୍ନୌ: ଅଯୋଧ୍ୟା ରାମ ମନ୍ଦିରର ସୁରକ୍ଷା ପାଇଁ ବର୍ତ୍ତମାନ ଠୋସ୍ ପଦକ୍ଷେପ ନିଆଯାଉଛି। ମନ୍ଦିରର ସୁରକ୍ଷା ପାଇଁ ଉତ୍ତର ପ୍ରଦେଶ ପୋଲିସର ସ୍ୱତନ୍ତ୍ର କମାଣ୍ଡୋ ମୁତୟନ ହୋଇଛନ୍ତି। ଖୁବ୍ ଶୀଘ୍ର ୟୁପି ପୋଲିସ ଏଠାରେ ଆଣ୍ଟି-ଡ୍ରୋନ୍ ସିଷ୍ଟମ ସ୍ଥାପନ କରିବ। ସୂଚନାନୁସାରେ, ୟୁପି ପୋଲିସ ଇସ୍ରାଏଲରୁ ଏହି ଆଣ୍ଟି ଡ୍ରୋନ୍ ସିଷ୍ଟମ କିଣିବ। ଏହି ଡିଲ୍ ସମ୍ପ୍ରତି ଶେଷ ପର୍ଯ୍ୟାୟରେ ଅଛି |

ଜାନୁଆରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମୟରେ ମଧ୍ୟ ଆଣ୍ଟ୍ରି ଡ୍ରୋନ୍ ସିଷ୍ଟମ ବ୍ୟବହାର କରାଯାଇଥିଲା | ସେତେବେଳେ ୟୁପି ପୋଲିସ ଏସପିଜି ଓ ଏନଏସଜିରୁ ଏହି ସିଷ୍ଟମ ଭଡ଼ାରେ ଆଣିଥିଲା। ଏବେ ୟୁପି ପୋଲିସ ଏହି ସିଷ୍ଟମ କିଣିବାକୁ ନିଷ୍ପତ୍ତି ନେଇଛି। ବହୁଥର ଟ୍ରାଏଲ୍ ପରେ ଇସ୍ରାଏଲର ଆଣ୍ଟି ଡ୍ରୋନ୍ ସିଷ୍ଟମ୍ କିଣିବାକୁ ଚୂଡ଼ାନ୍ତ ହୋଇଛି। ସୂଚନାନୁସାରେ, ୟୁପି ପୋଲିସ ଇସ୍ରାଏଲ ଠାରୁ ୧୦ଟି ଆଣ୍ଟି-ଡ୍ରୋନ୍ ସିଷ୍ଟମ କିଣିବ। ଅଯୋଧ୍ୟା ବ୍ୟତୀତ ମଥୁରା, ଲକ୍ଷ୍ନୌ ଏବଂ ବାରାଣସୀ ପରି ଅତି ସମ୍ବେଦନଶୀଳ ସ୍ଥାନରେ ଏହି ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ମୁତୟନ କରାଯିବ |

ଆଣ୍ଟି ଡ୍ରୋନ୍ ସିଷ୍ଟମ ୩ ରୁ ୫ କିଲୋମିଟର ପରିସର ଭିତରେ ଯେକୌଣସି ଡ୍ରୋନକୁ ଧ୍ବଂସ କରିପାରିବ | ଏଥିରେ ଯେକୌଣସି ଡ୍ରୋନ୍ ଚିହ୍ନଟ କରିବାର କ୍ଷମତା ଅଛି | ଏହା ଏକ ଲେଜର ଆଧାରିତ ସିଷ୍ଟମ ଯାହା ଡ୍ରୋନକୁ ଚିହ୍ନଟ କରି ନଷ୍ଟ କରିପାରେ | ଏହାଛଡ଼ା ଏହି ସିଷ୍ଟମରେ ଶତ୍ରୁ ଡ୍ରୋନ୍ ହ୍ୟାକ୍ କରିବାର କ୍ଷମତା ମଧ୍ୟ ରହିଛି।