ଚନ୍ଦ୍ରଯାନ-୩: ଆଜି ପୁଣି ପ୍ରଜ୍ଞାନ ଓ ବିକ୍ରମକୁ ଉଠାଇବାକୁ ଚେଷ୍ଟା କରିବ ଇସ୍ରୋ | News Room Odisha

ଚନ୍ଦ୍ରଯାନ-୩: ଆଜି ପୁଣି ପ୍ରଜ୍ଞାନ ଓ ବିକ୍ରମକୁ ଉଠାଇବାକୁ ଚେଷ୍ଟା କରିବ ଇସ୍ରୋ

ବେଙ୍ଗାଲୁରୁ : ଇସ୍ରୋ ଆଜି ପୁଣି ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ ଓ ଲ୍ୟାଣ୍ଡର ବିକ୍ରମକୁ ସକ୍ରିୟ କରିବାକୁ ଉଦ୍ୟମ କରିବ | ଗତକାଲି ଇସ୍ରୋ ଏ ଦୁହିଁଙ୍କୁ ସ୍ଲିପ୍ ମୋଡରୁ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସିଗ୍ନାଲ ମିଳିନଥିଲା । ତେବେ ରୋଭର ଓ ଲ୍ଯାଣ୍ଡର ସହ ଯୋଗାଯୋଗ ସ୍ଥାପନ କରିବାକୁ ପ୍ରୟାସ ଜାରି ରହିବ ବୋଲି ଇସ୍ରୋ କହିଛି ।

୧୪ ଦିନ ରାତି ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ପୁଣି ସୂର୍ଯ୍ୟ କିରଣ ପଡ଼ିବା ଆରମ୍ଭ କରିଛି | ଯାହା ଫଳରେ ବିକ୍ରମ ଲାଣ୍ଡର ଏବଂ ପ୍ରଜ୍ଞାନ ରୋଭର ସ୍ଲିପ୍ ମୋଡରୁ ଉଠିବେ ବୋଲି ଇସ୍ରୋ ଆଶାବାଦୀ | ଇସ୍ରୋ ସେପ୍ଟେମ୍ବର ୪ରେ ଲ୍ୟାଣ୍ଡରକୁ ଓ ସେପ୍ଟେମ୍ବର ୨ରେ ରୋଭରକୁ ସ୍ଲିପ୍ ମୋଡରେ ରଖିଥିଲା | ଲ୍ୟାଣ୍ଡର୍-ରୋଭରର ରିସିଭର୍ ଗୁଡ଼ିକୁ ଇସ୍ରୋ ଅନ୍ କରି ରଖିଛି |

ସ୍ଲିପ୍ ମୋଡରେ ରଖିବା ପୂର୍ବରୁ ଇସ୍ରୋ ବିକ୍ରମ ଓ ପ୍ରଜ୍ଞାନ ବ୍ୟାଟେରୀକୁ ସମ୍ପୂର୍ଣ୍ଣ ଚାର୍ଜ କରି ରଖିଥିଲା | ରୋଭରକୁ ଏପରି ଦିଗରେ ରଖାଯାଇଥିଲା ଯାହା ଦ୍ବାରା ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟକିରଣ ସିଧାସଳଖ ଏହାର ସୌର ପ୍ୟାନେଲ ଉପରେ ପଡ଼ିବ |